ସରକାରଙ୍କ ତାଗିଦ ପରେ ଗୁଣପୁର ପରିମଳ ଟେଣ୍ଡର ଡାକିଲେ ପୌର କର୍ତ୍ତୃପକ୍ଷ
ଗୁଣପୁର,(ୱାଇଏନଏସ):ବହୁ ବାଦ ବିବାଦ ଓ ଅଭିଯୋଗ କରିବା ପରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର କଢ଼ା ତାଗିଦ ପରେ ଗୁଣପୁର ପୋୖର ପରିଷଦ କତ୍ତୃପକ୍ଷ ୫ ମାସ ବିଳମ୍ବରେ ପରିମଳ ଟେଣ୍ଡର ଡାକିବାକୁ ବାଧ୍ୟ ହୋଇଛି। ଗତ ନଭେମ୍ବର ମାସରେ ପରିମଳ ଠିକା ଅବଧି ଶେଷ ହୋଇଯିବା ପରେ ପୌର କତ୍ତୃପକ୍ଷ ବିନା ଟେଣ୍ଡରରେ ଏମ ଏସ ସବ୍ୟସାଚୀ ମହାକୁଲ ଠିକା ସଂସ୍ଥାକୁ ମହଲତ ବୃଦ୍ଧି କରି ଚାଲିଥିଲେ। ନଭେମ୍ବର ୭ ତାରିଖରେ ତରବାରିଆ ଭାବେ କାଉନସିଲ ବୈଠକ ଡାକି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗତବର୍ଷ ଠିକା ନେଇଥିବା ଏମଏସ ସବ୍ୟସାଚୀ ମହାକୁଲ ସଂସ୍ଥାକୁ ବିନା ଟେଣ୍ଡରରେ ପୁଣି ଏକ ବର୍ଷ ଅବଧି ବୃଦ୍ଧି କରି ଅନୁକମ୍ପା ପ୍ରଦର୍ଶନ କରି କାର୍ଯ୍ୟଦେଶ ପ୍ରଦାନ କରିଥିଲେ। ଯାହାକି ସମ୍ପର୍ଣ୍ଣ ବେଆଇନ ଥିଲା। ସେହିଦିନ ବୈଠକରେ ବରିଷ୍ଠ କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ,ଭାଗିରଥି ବିଷୋୟୀ ,ଶିବ ପ୍ରସାଦ ପାଢ଼ୀ ଏହାକୁ ତୀବ୍ର ବିରୋଧ ଓ ଆପତ୍ତି ଉଠାଇବା ସତ୍ତ୍ଵେ ପୋୖର ଅଧ୍ୟକ୍ଷା ମମତା ଗୌଡ଼ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ଠିକା ସଂସ୍ଥାର ଅବଧି ବୃଦ୍ଧି କରିଥିଲେ। ନଭେମ୍ବର ୭ ତାରିଖରେ ପରିମଳ ଉପରେ କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରସିଡିଙ୍ଗ ବିଜ୍ଞପ୍ତି ଚିଠି ନମ୍ବର ୨୧୨୪/୧୦.୧୨.୨୦୨୫ରେ ୨ କୋଟି ୩୫ ଲକ୍ଷ ଟଙ୍କାର ପରିମଳ ଠିକା ଅନୁମୋଦନ କରିବା ଭଳି ଦର୍ଶାଯାଇଥିଲା। ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ବେନିୟମ କାର୍ଯ୍ୟ ଓ ଭୂମିକାକୁ ନେଇ କାଉନସିଲର ମାନେ ପ୍ରଶ୍ନ କରିବା ସହ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ବର୍ଷ ପରିମଳ ଠିକା ନେଇଥିବା ଏମ୍ଏସ ସବ୍ୟସାଚୀ ମହାକୁଲ ସଂସ୍ଥାର ଅବଧି ଗତ ନଭେମ୍ବର ମାସରେ ପୂରି ଯାଇଥିବାରୁ ନିର୍ବାହୀ ଅଧିକାରୀ ଅକ୍ଟୋବର ମାସରେ ନୂଆ ଟେଣ୍ଡର ପାଇଁ ପ୍ରକ୍ରିୟା ଵ୍ୟଵସ୍ଥା ନକରି ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ମନ୍ଦ ଉଦେଶ୍ୟ ରଖି ଉକ୍ତ ଠିକା ସଂସ୍ଥା ପ୍ରତି ଅନୁକମ୍ପା ଦେଖାଇଥିବା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମ୍ପର୍କରେ ଦୁଇ ତିନି ଥର ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ଏହାକୁ ଗୁରୁତର ସହ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁଣପୁର ପୌର କତ୍ତୃପକ୍ଷଙ୍କୁ ତାଗିଦ କରି ତୁରନ୍ତ ଟେଣ୍ଡର ଡାକିବାକୁ ନିର୍ଦେଶ ଦେଇଥିଲେ। ଏହାପରେ କତ୍ତୃପକ୍ଷ ଟେଣ୍ଡର ଆହ୍ୱାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୧୮ ତାରିଖରୁ ଇ-ଟେଣ୍ଡର ଦାଖଲ ସମୟ ଆରମ୍ଭ ହୋଇ ମେ ୪ ତାରିଖ ସନ୍ଧ୍ୟା ୫ଟାରେ ଶେଷ ହେବ। ମେ ୫ ତାରିଖ ପୂର୍ବାହ୍ନ ୧୧ ଟାରେ ଟେଣ୍ଡର ପେପରକୁ ଟେଣ୍ଡର କମିଟି ଉପସ୍ଥିତିରେ ଖୋଲାଯିବ ବୋଲି ଟେଣ୍ଡର ବିଜ୍ଞପ୍ତିରେ ଦର୍ଶାଯାଇଛି। ଅପର ପକ୍ଷରେ ଏଥିରେ ଯେତେ ସବୁ ସର୍ତ୍ତ ରଖାଯାଇଛି କତ୍ତୃପକ୍ଷ ଚାହିଁବା ସଂସ୍ଥାକୁ ସୁହାଇଲା ଭଳି ବ୍ୟବସ୍ଥା କରାଯାଇଥିବା ନେଇ ଅଭିଯୋଗ ଉଠିଛି। କେବଳ ଏତିକି ନୁହଁ ବୈଷୟିକ ସାକ୍ଷାତକାର ସେସେନରେ ଅଧ୍ୟକ୍ଷା ନିଜେ ଉପସ୍ଥିତ ରହି ମାର୍କିଂ କରୁଥିବାରୁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତବର୍ଷ ଏଥିରେ ବ୍ୟାପକ ଗଢ଼ବଡ଼ ହୋଇଥିବା ନେଇ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସବୁ ଅଭିଯୋଗକୁ ରଫାଦଫା କରି ସମସ୍ତଙ୍କୁ ମ୍ୟାନଜ କରି ଦିଆଯାଇ ସମସ୍ତଙ୍କୁ ଚୁପ କରି ଦିଆଯାଇଥିଲା। ଏଥର ଗୁଣପୁର ପୌର ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ବୈଷୟିକ ସାକ୍ଷାତକାର ବେଳେ ବାଦ ଦେବାକୁ ଆଗୁଆ ଦାବି ହୋଇଛି। ଉଲେଖନୀୟ ବିଷୟ ହେଉଛି ଟେଣ୍ଡର ପାଉଥିବା ଠିକା ସଂସ୍ଥା ଗୁଡିକୁ ବିଭିନ୍ନ ହଇରାଣ ହରକତର ଭୟ ଦେଖାଯାଉଛି। ସେମାନେ ବାଧ୍ୟହୋଇ ଜୈନୟକ ନିର୍ବାଚିତ ରାଜନେତାଙ୍କୁ ପରୋକ୍ଷରେ ପରିମଳ ଠିକାକୁ ସମର୍ପି ଦେଉଛନ୍ତି। ଗତ କିଛି ବର୍ଷ ହେଲା ଏହି ପ୍ରଥା ଚାଲି ଆସୁଛି। ନିୟୋଜିତ ଶ୍ରମିକ ସଂଖ୍ୟା ଠାରୁ ଦୁଇ ଗୁଣ ଦର୍ଶାଇବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷରେ ମିଥ୍ୟା ବିଲ କରି ଉଠାଯାଉଛି। ଏଥିପାଇଁ ବିଶେଷ କାରଣ ନଥାଇ ବାର୍ଷିକ ପରିମଳ ଠିକା ମୂଲ୍ୟ ଆବଶ୍ୟକତା ଠାରୁ ଅଧିକା ବୃଦ୍ଧି କରି ଟେଣ୍ଡର ନଡାକି ଅବଧି ବୃଦ୍ଧି କରି ବେଶ ମୁନାଫା ଉଠାଯାଉଛି। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇ ଆସୁଥିଲେ ମଧ୍ୟ ଲୋକାଲ ଅଡିଟ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ଉଠିଛି। ଉଲେଖଯୋଗ୍ୟଯେ ଗତ ୨୦୧୮ ମସିହାରେ ପରିମଳ ଟେଣ୍ଡର ମୂଲ୍ୟ ୫୫ ଲକ୍ଷ ଟଙ୍କା ଥିଲା। ୨୦୨୧ ମସିହାରୁ, ପରିମଳ ମୂଲ୍ୟ ଅଯୌକ୍ତିକ ଭାବରେ ପରିମଳ ଠିକା ଖର୍ଚ୍ଚ ୯୫,୧୫,୫୭୩ କରାଯାଇଥିଲା । ୨୦୨୩ ମସିହାରେ ପରିମଳ ମୂଲ୍ୟକୁ ୧ କୋଟି ୬୦ ଲକ୍ଷ ୬୧,୦୯୫ କୁ ବୃଦ୍ଧି କରାଗଲା। ୨୦୨୪ ମସିହାରେ ମସିହାରେ ଏହାକୁ ୨ କୋଟି ୩୫ ଲକ୍ଷ ୬୭ ହଜାର କରାଯାଇଛି। ଚଳିତ ବର୍ଷ ୨୦୨୬-୨୭ ପାଇଁ ୨ କୋଟି ୪୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରକାଶ ଥାଉକି ଗୁଣପୁର ପୋୖର ପରିଷଦରେ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୫-୭ ଜଣ ବ୍ୟତୀତ ପରିଷଦର କାର୍ଯ୍ୟ କଳାପ ସମ୍ପର୍କରେ ଅଧିକାଂଶ ଜାଣି ନାହାଁନ୍ତି। କେବଳ ବାବୁ ମାନଙ୍କ ଦ୍ଵାରା ପ୍ରସ୍ତୁତ ବେଆଇନ ପ୍ରସ୍ତାବ ପ୍ରସିଡଙ୍ଗ ଖାତାରେ ଦସ୍ତଖତ କରି ଘରକୁ ଚାଲି ଯାଆନ୍ତି। ପୌର ପରିଷଦର ସମ୍ପୃକ୍ତ କିଛି ହାତ ଗଣତିର ବ୍ୟକ୍ତି ଲକ୍ଷାଧିକ ଟଙ୍କାର ବେଶ ମୁନାଫା ଉଠାଉଥିବା ବେଳେ ଅଧିକାଂଶ କାଉନସିଲର କିଛି ଜାଣିନପାରି ଚୁପ ରହିଛନ୍ତି।


