ଏନଏସି ସାଧାରଣ ମୌଳିକ ସମସ୍ୟା ସମାଧାନରେ ସମ୍ପୂର୍ଣ୍ଣ ବିଫଳ
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସହରର ସାଧାରଣ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିଭିନ୍ନ ଖବର କାଗଜରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସବୁ ଜାଣି ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି। ଆଖି ଥାଇ ମଧ୍ୟ ସେ ଅନ୍ଧ ହୋଇଯାଇ କିଛି ନଜାଣିବାର ଅଭିନୟ କରୁଛନ୍ତି। ବୁଗୁଡା ସହରର ଡ୍ରେନ ଗୁଡିକ ସଫା ହୋଇନଥିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ନର୍ଦ୍ଦମା ପାଣି ପ୍ରବାହିତ ହେଉଛି। ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ରାସ୍ତାରେ ଗୃହ ପାଳିତ ପଶୁ ଶୋଇ ଓ ଛିଡ଼ାହୋଇ ରାସ୍ତା ଅବରୋଧ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରତିକାର ହେଉନାହିଁ। ରାସ୍ତାଘାଟ ମରାମତି ନହେବା ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି। ମୁକ୍ତାକାଶ ପରିଶ୍ରଗାର ଯୋଗୁଁ ମେଡ଼ିକାଲ ନିକଟ, ପ୍ରାଣୀ ସମ୍ପଦ ଚିକିତ୍ସାଳୟ, ପଞ୍ଚାପାତ୍ର ଗଳି, ବସଷ୍ଟାଣ୍ଡ ପ୍ରଭୃତି ଦୁର୍ଗନ୍ଧ ଯୋଗୁଁ ଜନସାଧାରଣ ନାକରେ ରୁମାଲ ଦେଇ ଯାଉଛନ୍ତି। ଏହିସବୁ ବିଷୟରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଜିଲ୍ଲାପାଳ ମହୋଦୟ ଏହି ବିଷୟ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।


