ମହାମାରୀ ଠାରୁ ଅଧିକ ଭୟଙ୍କର ରୂପ ନେଇଛି ଅଶ୍ଳୀଳତା : ପ୍ୟାନେଲ ଆଲୋଚନାରେ ବାର୍ତ୍ତା ଦେଲେ ନିତିନଜିତ
ବନ୍ତ, (ଚାନ୍ଦିନୀ ମହାନ୍ତି): ଆଜିର ସମୟରେ ଅଶ୍ଳୀଳତା ଏକ ମହାମାରୀଠାରୁ ମଧ୍ୟ ଅଧିକ ଭୟଙ୍କର ରୂପ ନେଇଛି ଏବଂ ଅଶ୍ଳୀଳତା ମଧ୍ୟ ଆଧୁନିକତା ନୁହେଁ—ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ବାଙ୍ଗୋରପଦୀ ଗ୍ରାମର ମୁଖ୍ୟ ଜୀବନ ବୀମା ଉପଦେଷ୍ଟା ଭାସ୍କର ଚନ୍ଦ୍ର ସାହୁ ଏବଂ ଶିକ୍ଷୟିତ୍ରୀ ରଚିତା ସାହୁଙ୍କ ପୁତ୍ର ତଥା ଶିଶୁ କିଶୋର ଲେଖକ, ସାହିତ୍ୟିକ ନୀତିନଜିତ ସାହୁ(୧୨) । ସେ ଏକକାଳୀନ ସମ୍ପୂର୍ଣ୍ଣ ସମାଜକୁ ବଦଳାଇ ପାରିବେ ନାହିଁ, କିନ୍ତୁ ସେ ଜାଣିଛନ୍ତି ଯେ ସେ ନିଜେ ଏକ ନିଶ୍ଚିତ ପଦକ୍ଷେପ କିମ୍ବା ଅଭିଯାନ ଆରମ୍ଭ କରିପାରିବେ। ଏଥିସହିତ ସେ ଆମର ସାଂସ୍କୃତିକ ଚେର ଏବଂ ଐତିହ୍ୟକୁ ମନେ ରଖିବାର ଆବଶ୍ୟକତା ଉପରେ ମଧ୍ୟ ଜୋର୍ ଦେଇଛନ୍ତି l ଅଗଷ୍ଟ ୨୬ରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ‘ପିଲାଙ୍କ ଅଙ୍କୁର’ ପତ୍ରିକାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଫାଉଣ୍ଡେସନର ପରିଚାଳନା ନ୍ୟାସୀ ତଥା ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡାଙ୍କ ଦ୍ୱାରା ପରିଚାଳିତ ପ୍ୟାନେଲ୍ ଆଲୋଚନାରେ ମୁଖ୍ୟ ଆକର୍ଷଣ ଭାବେ ଶିଶୁ କିଶୋର ଲେଖକ ନୀତିନଜିତ ଯୋଗ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।ସମାରୋହରେ ଅତିଥି ଭାବେ ବିଏମସି ମେୟର ସୁଲୋଚନା ଦାସ, ଏନଆଇସି ଓଡ଼ିଶାର ଉପମହା ନିର୍ଦ୍ଦେଶକ ତଥା ସୂଚନା ବିଜ୍ଞାନ ଅଧିକାରୀ ଅଶୋକ କୁମାର ହୋତା, ଶିଶୁ ସୁରକ୍ଷା କର୍ମୀ ଘାସିରାମ ପଣ୍ଡା ଓ ‘ସଂଯୋଗ’ର ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟାସିଂହ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ଶିଶୁ କିଶୋର ଲେଖକ ନିତିନଜିତଙ୍କ ସମେତ ଅନ୍ୟ ଲେଖକ, ଲେଖିକାମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ନିତିନଜିତ ଭଦ୍ରକ ଏଚ. ବି. ଡି ଇଣ୍ଟରନେସନାଲ ସ୍କୁଲର ୮ ଶ୍ରେଣୀର ଛାତ୍ର ଅଟନ୍ତି l


