ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଭାରତରତ୍ନ ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଏବଂ ଓଡ଼ିଆ ପକ୍ଷର ଶେଷ ଦିନ ଅବସରରେ ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳିତ ହୋଇଛି । ସକାଳ ୮.୦୦ ଘଟିକା ସମୟରେ ସ୍ଥାନୀୟ ପୋଲିସ ଲାଇନ ଛକ ଠାରେ ଥିବା ଡଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ମାଲ୍ୟାର୍ପଣ କରିଥିଲେ ।  ସକାଳ ଘ ୮.୧୫ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଝୋଟି, ଚିତା, ମୁରୁଜ ଓ ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଅନେକ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏଠାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।   ପୂର୍ବାହ୍ନ ଘ.୧୦.୩୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଯୋଗଦେଇଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ, ବାଲେଶ୍ୱର ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବୁଢ଼ାନ ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିଲେ । ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଭାରତରତ୍ନ ବାବାସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା । ପରେ ସଭାରେ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀ ଗଣ ରାଜ୍ୟ ସଙ୍ଗୀତ ଓ ରାଷ୍ଟ୍ର ଗୀତକୁ ସମ୍ମାନ ଜଣାଇଥିଲେ ।ଅତିଥି ମାନେ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଡଃ ଆମ୍ବେଦକରଙ୍କ ବାଲ୍ୟ କାଳ ଠାରୁ ଭାରତର ସମ୍ବିଧାନ ରଚନା କରିବା ପର୍ଯ୍ୟନ୍ତ କେଉଁ ଭଳି ଭାବେ ସଂଘର୍ଷ କରିଥିଲେ, ତାହା ସମ୍ବନ୍ଧରେ ଅତିଥି ମାନେ ଆଲୋକପାତ କରିଥିଲେ । ସମାଜରେ ଅବହେଳିତ, ନିଷ୍ପେସିତ, ନିର୍ଯାତିତ ବ୍ୟକ୍ତି ମାନଙ୍କର ମଙ୍ଗଳ ପାଇଁ ଡଃ ଆମ୍ବେଦକର ଦେବ ଦୂତ ସାଜିଥିଲେ ।  ଉଭୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ଏବଂ ଝୋଟି, ଚିତା, ମୁରୁଜ ଓ ପିଠାପଣା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ/ଅଧିକାରିଣୀ ଓ କର୍ମଚାରୀ ମାନେ, ଆମ୍ବେଦକର ବିକାଶ ପରିଷଦର ସଦସ୍ୟ ଗଣ, ସମାଜ ସେବୀ ଗଣ, ସାମ୍ବାଦିକ ଗଣ, ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ, ବୁଦ୍ଧିଜୀବୀ ଗଣ, ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ସମେତ ସମସ୍ତେ ଓଡ଼ିଆ ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ଅବସରରେ ପିଠା ଓ ପଣାର ମଜା ନେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ