ସିବିଏଇ ଦ୍ୱାଦଶ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ଭଦ୍ରକ ଜିଲା ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିଥିବା ଜଣାଯାଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ଆରୋଶ୍ରୀତ ପାତ୍ର ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପର ହୋଇଥିବା ବେଳେ ଛାତ୍ରୀ ସ୍ମୃତିରେଖା ନାୟକ ୯୦.୨ ନମ୍ବର ରଖି ୨ୟ ଏବଂ ଛାତ୍ର ହରେକୃଷ୍ଣ ସ୍ୱାଇଁ ୯୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଣିଜ୍ୟରେ ଶୁଭକାନ୍ତ ଲେଙ୍କା ୫୫.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ୩ ଜଣ, ୮୦ ପ୍ରତିଶତରୁ ଅଧିକ ୧୬, ୭୦ ପ୍ରତିଶତରୁ ଅଧିକ ୯, ୬୦ ପ୍ରତିଶତରୁ ଅଧିକ ୭, ୫୦ ପ୍ରତିଶତରୁ ଅଧିକ ଜଣେ ଛାତ୍ରକୁ ମିଶାଇ ମୋଟ ୩୬ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବାଣିଜ୍ୟରେ ଜଣେ ଛାତ୍ର ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।


