ଶାଳିଜଙ୍ଗା ମହିମା ଆଶ୍ରମ ବିବାଦ: ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ବି ପ୍ରଦାନ କରାଗଲା ନାହିଁ ଗୃହ
ନାଉଗାଁ,(ଓ୍ବାଇଏନଏସ): ଉଚ୍ଚ ନ୍ୟାୟାଳୟ କେଶ ନଂ-ଡବ୍ଲୁ.ପି (ସି) ୬୦୬୭/୨୦୨୬ ଅନୁସାରେ ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମରେ ଦୀର୍ଘ ୧୪୭ ଦିନ ପରେ କଡା ସୁରକ୍ଷା ବଳୟ ମଧ୍ୟରେ ବାବା ଗଦାଧର ଦାସ ଓ ରୀନା ମା’ ଅପ୍ରେଲ ୭ ରେ ଆଶ୍ରମ ମଧ୍ୟରେ ପ୍ରବେଶ କରଥିଲେ। ଏସଡିପିଓ ଆଜିଙ୍କ୍ୟ ମାଣେ ,ଥାନାଧିକାରି ଦେବାଶୀଷ ପଣ୍ଡା ଓ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡାଙ୍କ ସମେତ ପୋଲିସ ଫୋର୍ସ ସହାୟତାରେ ଉଭୟ ଆଶ୍ରମରେ ପହଂଚିଥିଲେ। ଆଶ୍ରମର ସର୍ତ ଅନୁସାରେ ବାବା ଗଦାଧର ଦାସଙ୍କୁ ଉପର ମହଲା ଓ ରୀନା ମା’ ଙ୍କୁ ତଳ ମହଲାରେ ଗୋଟିଏ ଲେଖାଁଏ କୋଠରୀ ପ୍ରଦାନ କରାଯାଇଥିଲା। କିନ୍ତୁ ସେହି ସମୟରେ ବାବା ଗଦାଧର ଓ ରୀନା ମା’ ଙ୍କୁ ପୂର୍ବରୁ ରହୁଥିବା କୋଠରୀକୁ ପ୍ରଦାନ କରାଯାଇ ନଥିଲା। ଯାହାଫଳରେ ଉଭୟ ବାବା ଓ ରୀନା ମା’ ପୂର୍ବ କୋଠରୀରେ ରହିବା ପାଇଁ ପୁନର୍ବାର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟଳୟର ନିର୍ଦ୍ଦେଶାନୁସାରେ ବୁଧବାର ଏସଡିପିଓ ରଶ୍ମିରଂଜନ ଦାସ, ଥାନାଧିକାରୀ ଦେବାଶୀଷ ପଣ୍ଡା, ତହସିଲଦାର ଅକ୍ଷୟ କୁମାର ବଡୁ ଆଶ୍ରମରେ ପହଂଚିଥିଲେ। ବାବା ଓ ମା’ ରହୁଥିବା ପୂର୍ବ ଗୃହ ରେ ରହିବା ପାଇଁ ଗ୍ରାମବାସୀ ଓ ଆଶ୍ରମର ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରାଯାଇଥିଲା। ଉକ୍ତ ଗୃହ ସରକାରୀ ସ୍ଥାନରେ ନିର୍ମାଣ କରାଯାଇଥିବାରୁ ତହସିଲଦାର ଅକ୍ଷୟ କୁାମର ବଡୁ ଉକ୍ତ ଗୃହରେ ରହି ପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଯାହାଫଳରେ ଉଭୟ ବାବା ଓ ମା’ ପୂର୍ବବତ ଯେଉଁ ଗୃହରେ ରହୁଥିଲେ ସେହି ଗୃହରେ ରହିବା ପାଇଁ ନିଷ୍ପତି ଗ୍ରହଣ କରାଗଲା। ପ୍ରକାଶଯୋଗ୍ୟ ଯେ ବାବା ଓ ମାଟ ଜମିଜମା ହଡପ ବିବାଦରେ ଛନ୍ଦି ହେବା ସହିତ ଗ୍ରାମବାସୀ ଓ ଅନ୍ତେବାସୀଙ୍କ ବିରୋଧ ଯୋଗୁ ଉଭୟ ଦୀର୍ଘ ଦିନ ହେବ ଆଶ୍ରମର ବାହାରେ ରହୁଥିଲେ। ଅପ୍ରେଲ ୭ ରେ ବାବା ଗଦାଧର ଦାସ ଓ ରୀନା ମା’ ଆଶ୍ରମରେ ପ୍ରବେଶ ପରେ ଆଶ୍ରମର ଶ୍ରଦ୍ଧାଳୁଙ୍କ ପକ୍ଷରୁ ପ୍ରଶାସନଙ୍କୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶ୍ରଦ୍ଧାଳୁ ଅକ୍ଷୟ କୁମାର ମହାପାତ୍ର, ବାବାଜୀ ଚରଣ ମୁଦୁଲି, ବିରବର ମୁଦୁଲି, ଭରତ ମଲିକ, ହାଡିବନ୍ଧୁ ରାଉତ, ଉମେଶ ମହାପାତ୍ର ଆଦିଙ୍କ ସ୍ୱାକ୍ଷରିତ ଉକ୍ତ ଦାବିପତ୍ରରେ ବାବା ଗଦାଧର ଦାସ ଓ ରୀନା ମା’ ଙ୍କୁ ଯେଉଁ କୋଠରୀ ପ୍ରଦାନ କରାଯିବ ସେହି କୋଠରୀ ବ୍ୟତିତ ଅନ୍ୟ କୋଠରୀକୁ ପ୍ରବେଶ କରିପାରିବେନାହିଁ। ଆଶ୍ରମର ଅନ୍ତେବାସୀ ଯେଉଁ ଖାଦ୍ୟ ସେବନ କରିବେ ସେହି ଖାଦ୍ୟକୁ ଊଭୟ ସେବନ କରିବେ। ଆଶ୍ରମ ଛାଡି ବାବା ଗଦାଧର ଦାସ ୨୦୨୫ ନଭେମ୍ବର ୧୨ରୁ ଯାଇଥିବା ବେଳେ ଆଶ୍ରମର ଅନ୍ତେବାସୀ ହେମନ୍ତ ଦାସ ନିତି କାନ୍ତି କରୁଅଛନ୍ତି। ତେଣୁ ପୂର୍ବବତ ହେମନ୍ତ ନିତିକାନ୍ତି କରିବେ। ଅନ୍ତୋବାସୀ ଙ୍କୁ ଉଭୟ ଅଶ୍ଳିଳ ଭାଷା କହିବେ ନାହିଁ କିମ୍ବା ନିଜର ଶାରିରୀକ ସେବା ପାଇଁ ବ୍ୟବହାର କରିପାରିବେ ନାହିଁ। ଆଶ୍ରମକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ କୌଣସି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କିମ୍ବା ନିଜ ସପକ୍ଷ କୁ ନେବେ ନାହିଁ। ଅପ୍ରେଲ ୭ ଠାରୁ ଆଶ୍ରମର ଆୟ ବ୍ୟୟ ଉପରେ ଗଦାଧର ଦାସ ଓ ରୀନା ମା’ ହସ୍ତକ୍ଷେପ କରିବେ ନାହିଁ ,ଟ୍ରଷ୍ଟ ଗଠନ ହେବା ପର୍ଯ୍ୟନ୍ତ ଶାଳିଜଙ୍ଗା ଗ୍ରାମ୍ୟ କମିଟି ଏହାର ତଦାରଖ କରିବ। ଗଦାଧର ଦାସ ଓ ରୀନା ମା’ ଙ୍କର ଭାଇ ,ବନ୍ଧୁ, ସଂପର୍କିୟ ଆଶ୍ରମରେ ରାତ୍ରଯାପନ କରିପାରିବେ ନାହିଁ ବୋଲି ଦାବି ରଖାଯାଇଥିଲା।


