ଆଗକୁ ପଞ୍ଚାୟତ ନିର୍ବାଚନ : ଏବେଠୁ ପ୍ରସ୍ତୁତ ହେଲେଣି ବିଜେଡିର ନେତା ଓ କର୍ମୀ
ଆସିକା (ୱାଇଏନ୍ଏସ୍) : ଆଗାମୀ କିଛି ମାସ ପରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବର୍ତ୍ତମାନ ଠାରୁ ଆସିକା ବ୍ଳକ ପରିସରଭୁକ୍ତ କେତେକ ଗ୍ରାମାଞ୍ଚଳର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେବେ ହେବ ସେ ସଂକ୍ରାନ୍ତରେ ସ୍ପଷ୍ଟ ଭାବେ କୌଣସି ସୂଚନା ମିଳିପାରିନଥିଲେ ମଧ୍ୟ ଆସିକା ପଞ୍ଚାୟତ ସମିତିକୁ ପୁଣି ହତେଇବା ପାଇଁ ଏବେଠୁ ବିଜେଡି ତାର ରଣନୀତି ଆରମ୍ଭ କରିଦେଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି । ବିଜୁ ଜନତା ପାଇଁ ଆସନ୍ତା ଆସିକା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ଥିବାରୁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ଲାଗି ଦଳର ହେବିୱେଟ୍ ମାନେ ବିଚାରବିମର୍ଶ ଜାରି ରଖିଥିବା ଦେଖିବାକୁ ମିଳୁଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ୪ ଜଣ ଜିଲ୍ଲା ପରିଷଦ ସଦସ୍ୟ ଆସିକା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ୍ରେ ବିପୁଳ ଭୋଟରେ ବିଜୟଲାଭ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଏକ ମନ ଏକ ପ୍ରାଣରେ ଏକାଠି ହୋଇ କାର୍ଯ୍ୟକଲେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁଣି ବିଜୟର ଟିକା ନିଶ୍ଚିତ ଭାବେ ପିନ୍ଧିବ ବୋଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ତଥା ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ସୂଚନା ଦେଇଛନ୍ତି । ଆଗାମୀ ଆସିକା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠୁ ଗ୍ରାମାଞ୍ଚଳ ଗୁଡିକର ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଆସିକା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ କେଉଁ ବର୍ଗର ପାଇଁ ସଂରକ୍ଷିତ ରହିବ ଏବଂ କେଉଁ ଜିଲ୍ଲା ପରିଷଦ ଜୋନ୍ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ସେ ସଂକ୍ରାନ୍ତରେ କୌଣସି ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିଲା ବେଳେ ଗ୍ରାମାଞ୍ଚଳର ସାହିବସ୍ତିରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ତଥା ଭେଟେରାନ୍ ବିଜେଡି ନେତା ନଚିକେତା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବରିଷ୍ଠ ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ପ୍ରମୋଦ କୁମାର ସ୍ୱାଇଁ, ଅନିଲ୍ କୁମାର ନାୟକ, କାମରାଜୁ ଭୋଳ, ମାନସ ରଂଜନ ଗୌଡ, ରଂଜନ କୁମାର ବିଷୋୟୀ, ରାଘବ କୁମାର ନାହାକଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଯେପରି ପୁଣି କ୍ଷମତା ଦଖଲ କରିବ ସେଥିପାଇଁ ରଣନୀତି ନିର୍ଦ୍ଧାରଣରେ ଲାଗି ପଡିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତା ଆସିକା ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ ବୋଲି ଆଲୋଚିତ ହେଉଛି । ଗତ ୨୦୨୨ ରେ ଅନୁଷ୍ଠିତ ଆସିକା ପଞ୍ଚାୟତ ନିର୍ବାଚନର ସଫଳତାକୁ ପୁଣି ଦୋହରାଇବାକୁ ବିଜେଡି ପ୍ରାକ୍ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳୁଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ୪ ବର୍ଷ ପୁରିଯାଇଥିଲା ବେଳେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୭ ମସିହା ଜାନୁୟାରୀ କିମ୍ବା ଫେବୃୟାରୀ ମାସରେ ପୁଣି ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସିକା ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ କେଉଁ ଜୋନ୍ରେ କିଏ ପ୍ରାର୍ଥୀ ହେଲେ ବିଜୟର ପଥ ସୁଗମ ହେବ ତାହାକୁ ଦୃଷ୍ଟିରେ ରଖି ଦଳୀୟ ନେତା ଏବେଠୁ ଘନ ଘନ ବୈଠକ କରୁଥିବା ଚର୍ଚ୍ଚା ହେଉଛି ।


