ପିଏମଶ୍ରୀ ନବୋଦୟ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ସାଂସଦଙ୍କୁ ଭେଟିଲେ ଅଭିଭାବକ
ହାଟଡିହି (ପାର୍ଥ ସୌରଭ ସା) : ପିଏମଶ୍ରୀ ନବୋଦୟ ବିଦ୍ୟାଳୟ ହଦଗଡ଼ର ବିଭିନ୍ନ ସମସ୍ୟା ଦେଖାଦେଇଛି । ଏନେଇ ପ୍ରଫୁଲ୍ଲ କୁମାର ସାହୁ, ନରେନ୍ଦ୍ର କୁମାର ମିଶ୍ର, ନରେନ୍ଦ୍ର ସୁତାର, ସଞ୍ଜୀବ କୁମାର ସାହୁ, ବସନ୍ତ କୁମାର ନାଇକ, ସନ୍ତୋଷ କୁମାର ଦାସ, ରବୀନ୍ଦ୍ର କୁମାର ବେହେରା, ମମତା ଜେନାଙ୍କ ସମେତ ଅନେକ ଅଭିଭାବକ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଭେଟି ସମସ୍ୟା ଗୁଡ଼ିକ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ନବୋଦୟ ବିଦ୍ୟାଳୟରେ ଏକାଦଶ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଦାର୍ଥ ବିଜ୍ଞାନ, ଅର୍ଥନୀତି, ଭୂଗୋଳ ଆଦି ବିଷୟରେ ଶିକ୍ଷାଦାନ ପାଇଁ ଆବଶ୍ୟକ ନିୟମିତ ପିଜିଟି ଶିକ୍ଷକ ନଥିବାରୁ ଶିକ୍ଷାଦାନ ରେ ବାଧା ଉପୁଜିଛି। ଶିକ୍ଷାବର୍ଷ ର ୫ମାସ ବିତିବାକୁ ବସିଥିବା ବେଳେ ଆଜି ପର୍ଯ୍ୟନ୍ତ ଏସବୁ ବିଷୟ ରେ ଶିକ୍ଷାଦାନ ହୋଇ ପାରୁନି। ସେହିପରି ଶୈଖିକ ବିଭାଗ ଓ ଛାତ୍ରୀ ନିବାସ ମଧ୍ୟରେ ମୂଖ୍ୟ ରାସ୍ତାଟି ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଥିବାରୁ ଛାତ୍ରୀ ମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଣୁ ଏହି ରାସ୍ତା ଉପରେ ଏକ ଓଭର ବ୍ରିଜ ନିର୍ମାଣ ହେଲେ ଛାତ୍ରୀ ମାନେ ସହଜରେ ଛାତ୍ରୀ ନିବାସରୁ ବିଦ୍ୟାଳୟକୁ ଯାତାୟତ କରି ପାରନ୍ତେ। ସେହିପରି ଏଠାରେ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏଠାରେ ସେପରି କିଛି ସୁବିଧା ସୁଯୋଗ ନାହିଁ। ତେଣୁ ଜରୁରୀ କାଳୀନ ସେବା ପାଇଁ ଏଠାରେ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ସେହିପରି ଅନେକ ଦିନ ହେଲା ବିଦ୍ୟାଳୟର ଅଧ୍ୟକ୍ଷ ପଦବୀ ଖାଲି ପଡିଥିବାରୁ ତୁରନ୍ତ ଅଧ୍ୟକ୍ଷ ନିଯୁକ୍ତି ଉପରେ ଦୃଷ୍ଟି ଦେବାକୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


