ନା’ ଅଛି ଇନ୍‌ସ୍ୟୁରାନ୍ସ, ନା’ ଅଛି ପରମିଟ ସାର୍ଟିଫିକେଟ୍‌: ବିପଦପୂର୍ଣ୍ଣ ଭାବେ ରାସ୍ତାରେ ଗଡ଼ୁଛି କୋଟିଏରୁ ଅଧିକ ଗାଡ଼ି

କଟକ, (ଓ୍ବାଇଏନଏସ): କଟକ, ୨୪। ୮: ବିପଦପୂର୍ଣ୍ଣ ଭାବେ ରାସ୍ତାରେ ଗଡ଼ୁଛି କୋଟିଏରୁ ଅଧିକ ଗାଡ଼ି । ନା’ ଅଛି ଇନ୍‌ସ୍ୟୁରାନ୍ସ । ନା’ ଅଛି ପ୍ରଦୂଷଣ ସାର୍ଟିଫିକେଟ୍‌ । ଏହି ଗାଡ଼ିଗୁଡ଼ିକ କେବଳ ବିପଦକୁ ଡାକୁନାହାନ୍ତି ଅନ୍ୟକୁ ମଧ୍ୟ ବିପଦରେ ପକାଉଛନ୍ତି । ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ବୁଲୁଥିବା ଗାଡ଼ିଗୁଡ଼ିକ କେବଳ ବିଷ ବାଣ୍ଟି ଚାଲୁଛନ୍ତି । ପରିବେଶକୁ ନଷ୍ଟ କରୁଛନ୍ତି । ବିନା ଇନ୍‌ସ୍ୟୁରାନ୍ସ ଗାଡ଼ିଗୁଡ଼ିକ ଯଦି ଦୁର୍ଘଟଣାଗ୍ରସ୍ତ ହୋଇ କାହାରି ଜୀବନ ନେଇଯାଏ, ସେଥିରେ ମୃତକଙ୍କ ପରିବାରକୁ ଟଙ୍କାଟିଏ ବି ବୀମା ସହାୟତା ମିଳିବନି ।ଦୁଇଚକିଆଠାରୁ ଆରମ୍ଭ କରି ଦଶ, ବାରଚକିଆ ଯାଏ ରାଜ୍ୟରେ ପ୍ରାୟ ଦେଢ଼ କୋଟି ଯାନ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଛନ୍ତି । ଏଥିରୁ କିଛି ଗାଡ଼ି ଆଉ ରାସ୍ତାରେ ଗଡ଼ୁନାହିଁ । ପରିବହନ ବିଭାଗ ଡାସ୍‌ବୋର୍ଡରୁ ମିଳିଥିବା ସୂଚନା ଆଧାରରେ ମୋଟ୍‌ ପଞ୍ଜିକୃତ ଗାଡ଼ିରୁ ପ୍ରାୟ ୬୦% ଗାଡ଼ିର ଇନ୍‌ସ୍ୟୁରାନ୍ସ ନାହିଁ । ଅର୍ଥାତ୍ ୮୦ ଲକ୍ଷ ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିଲାବେଳେ ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ପ୍ରାୟ ୫୫ ଲକ୍ଷ ଗାଡ଼ି ରାସ୍ତାରେ ଗଡ଼ୁଛନ୍ତି । ବିନା ଇନ୍‌ସ୍ୟୁରାନ୍ସରେ ଗଡ଼ୁଥିବା ଅଧିକାଂଶ ଯାନ ଦୁଇଚକିଆ । ଇନ୍‌ସ୍ୟୁରାନ୍ସ ଦୁଇ ପ୍ରକାର କରାଯାଏ । ଗୋଟିଏ ହେଲା ଗାଡ଼ି ମାଲିକ ଏବଂ ଯାହା ସହ ଧକ୍କା ହେବ, ଦୁଇ ଜଣଙ୍କୁ ଏହି ପଲିସିରେ କଭର୍‌ କରାଯାଏ । ଅନ୍ୟ ଏକ ଇନ୍‌ସ୍ୟୁରାନ୍ସରେ ତିନିଜଣ କଭର୍‌ ହୋଇଥାନ୍ତି । ଗାଡ଼ି ମାଲିକ, ଧକ୍କା ହେଉଥିବା ପ୍ରତିପକ୍ଷ ଏବଂ ଧକ୍କାରେ ଆଖପାଖରେ ଥିବା କୌଣସି ବ୍ୟକ୍ତିଙ୍କୁ ଯଦି କିଛି କ୍ଷତି ପହଞ୍ଚିଥାଏ, ସମସ୍ତଙ୍କୁ କଭର୍‌ କରାଯାଏ । କିନ୍ତୁ ବିନା ଇନ୍‌ସ୍ୟୁରାନ୍ସ ଗାଡ଼ିଗୁଡ଼ିକ ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟାନ୍ତି, ଏଥିରେ ଆହତ ବା ମୃତକଙ୍କ ପରିବାରକୁ ଟଙ୍କାଟିଏ ମିଳିପାରିବ ନାହିଁ । ସେହିପରି ପ୍ରଦୂଷଣ ଯାଞ୍ଚ୍‌ କଡ଼ାକଡ଼ି ହେଉ ନଥିବାରୁ ବହୁ ଗାଡ଼ି ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ଚାଲିଛି । ଅନେକ ସ୍ଥାନରେ ଜାଲ୍‌ ପ୍ରଦୂଷଣ ସାର୍ଟିଫିକେଟ୍‌ ଦିଆଯାଉଛି । ଫଳରେ ଗାଡ଼ି ଦ୍ୱାରା ପ୍ରଦୂଷଣ ହେଉଥିଲେ ମଧ୍ୟ ତାହାକୁ ଏନ୍‌ଓସି ଦିଆଯାଉଥିବାରୁ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ଏଥିରେ କେବଳ ଗାଡ଼ିର କ୍ଷତି ହେଉନି ଏଥିସହ ପରିବେଶର ବଡ଼ କ୍ଷତି ଘଟୁଛି । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଅଧିକାଂଶ ଦୁଇଚକିଆ ଯାନ ବିନା ଇନ୍‌ସ୍ୟୁରାନ୍ସରେ ଚାଲୁଛି । ଏଥିପାଇଁ ଗାଡ଼ି ମାଲିକମାନେ ଯେତିକି ଦାୟୀ ନୁହଁନ୍ତି ଇନ୍‌ସ୍ୟୁରାନ୍ସ କମ୍ପାନିମାନେ ଅଧିକ ଦାୟୀ ।ଗ୍ରାମାଞ୍ଚଳରେ ଗଡ଼ୁଥିବା ଦୁଇଚକିଆ ଯାନ ମାଲିକମାନେ ଇନ୍‌ସ୍ୟୁରାନ୍ସ ସମ୍ପର୍କରେ ଏତେ ସଚେତନ ନୁହଁନ୍ତି । ଯଦି ଇନ୍‌ସ୍ୟୁରାନ୍ସ କମ୍ପାନିମାନେ ଗ୍ରାମାଞ୍ଚଳ ବଜାରରେ ସେମାନଙ୍କ କ୍ୟାମ୍ପ୍‌ କରନ୍ତେ ତାହେଲେ ଅନେକ ଦୁଇଚକିଆ ଯାନର ଇନ୍‌ସ୍ୟୁରାନ୍ସ କରିବାକୁ ସକ୍ଷମ ହୋଇପାରନ୍ତେ । କିମ୍ବା ଯଦି ବିଭିନ୍ନ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ କ୍ୟାମ୍ପ୍‌ କରାଯାଇ ପାରନ୍ତା ତାହେଲେ ବହୁ ଲୋକ ସେମାନଙ୍କ ଗାଡ଼ିକୁ ଇନ୍‌ସ୍ୟୁରାନ୍ସ କରିବାକୁ ସକ୍ଷମ ହୋଇପାରନ୍ତେ ।ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) କମିସନର ଅମିତାଭ ଠାକୁର୍‌ କହିଛନ୍ତି, ଏଭଳି ଗାଡ଼ିଗୁଡ଼ିକ ଯେତେବେଳେ କୌଣସି ଟୋଲ୍‌ଗେଟ୍‌ ଦେଇ ଯାଉଛନ୍ତି ସେମାନଙ୍କ ଉପରେ ଜରିମାନା ଲାଗି ନୋଟିସ୍‌ ପଠାଯାଉଛି । ଇନ୍‌ସ୍ୟୁରାନ୍ସ ନଥିବା ଗାଡ଼ି ଉପରେ ୨ ହଜାର ଟଙ୍କା ଜରିମାନା କରାଯାଉଥିଲା ବେଳେ ପ୍ରଦୂଷଣ ସାର୍ଟିଫିକେଟ୍‌ ନ ଥିବା ଗାଡ଼ି ଉପରେ ୧୦ ହଜାର ଟଙ୍କାର ଜରିମାନା କରାଯାଉଛି । କିନ୍ତୁ ଯେଉଁମାନେ ଟୋଲ୍‌ଗେଟ୍‌ ଦେଇ ଯାଉନାହାନ୍ତି, ଜରିମାନାରୁ ବର୍ତ୍ତି ଯାଉଛନ୍ତି।ବିଶେଷକରି ଗ୍ରାମାଞ୍ଚଳରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ପ୍ରତ୍ୟେକ ଆର୍‌ଟିଓଙ୍କୁ ଏହି ମର୍ମରେ ଚିଠି ଲେଖାଯିବ । ଆଗାମୀ ଦିନରେ ଏଭଳି ଗାଡ଼ିଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ