ପି.ଏମ୍ ଆବାସ ଯୋଜନାରେ ଚଞ୍ଚକତା:ଅନ୍ୟର ଘର ଦେଖାଇ ଅନୁଦାନ ହଡପ
ହାଟଡ଼ିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନାଟଡ଼ିହି ବୁକ ଆମ୍ଭେ ଗ୍ରାମରେ ପି.ଏମ୍ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଦେଖାଯାଇଛି। ଜଣେ ବ୍ୟକ୍ତି ଆବାସ ଯୋଜନା ଘର ପାଇଥିବା ବେଳେ ଅନ୍ୟ ଜଣକ ଘର ଦେଖାଇ ଓ ସେଥିରେ ଅନ୍ୟ ଜଣଙ୍କ ଫଟୋ ଉଠାଇ ଗୃହ ନିର୍ମାଣ ବାବଦକୁ ଆସିଥିବା ଟଙ୍କା ହଡ଼ପ କରି ନିଆଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ହାଟଡିହି ବ୍ଲକ୍ ଆମ୍ବୋ ପଞ୍ଚାୟତ ଆମ୍ବୋ ଗ୍ରାମର ରାଧାକୃଷ୍ଣ ମହାପାତ୍ରଙ୍କ ସ୍ତ୍ରୀ ଭାରତୀ ମହାପାତ୍ରଙ୍କୁ ପି.ଏମ୍ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା । ଯେଉଁଥିରେ ଭାରତୀଙ୍କ ଶ୍ୱଶୁର ସୁବାସ ଛୋଟରାୟ ମହାପାତ୍ରଙ୍କ ନାମ ଉଲ୍ଲେଖ ଅଛି। ଯାହାର ଆରଡ଼ି ନଂ-ଓଆର /୧୫୪୫୩୬୮00 ହୋଇଥିଲା ବେଳେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହିତାଧିକାରୀଙ୍କ ଜମା ଖାତାକୁ ପ୍ରଥମ କିସ୍ତି ରେ ୨୫ହଜାର, ଦ୍ୱିତୀୟ କିସ୍ତିରେ ୬୫ହଜାର ଓ ତୃତୀୟ କିସ୍ତିରେ ୪୦ ହଜାର ଦିଆ ଯାଇଛି। ପିଇଓଙ୍କ କାଗଜପତ୍ର ଅନୁସାରେ ଗୃହର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ସରିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୧ଲକ୍ଷ ୩୦ ହଜାର ଦିଆ ଯାଇଛି। ସୂଚନା ଅନୁସାରେ, ହିତାଧିକାରୀ ଭାରତୀ ମହାପାତ୍ର ଗାଁରେ ରହୁ ନଥିବା ବେଳେ ପରିବାର ସହ ଅନ୍ୟତ୍ର ରହୁଛନ୍ତି । ଏପରିକି ସେ କୌଣସି ଗୃହ ନିର୍ମାଣ କରି ନଥିବା ବେଳେ, ଅନ୍ୟ ଜଣଙ୍କ ଘରକୁ ଦେଖାଇ ସେଠାରେ ଅନ୍ୟ ଜଣେ ମହିଳାଙ୍କ ଫଟୋ ଉଠାଇ ନିଜ ନାମରେ ଆସିଥିବା ଟଙ୍କା ଉଠାଇ ନେଇଛନ୍ତି | ଫଟୋ ଉଠାଇଥିବା ମହିଳା ଜଣଙ୍କ ଆମ କଳିକା ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ତାଙ୍କ ନାମ ସଂଘମିତ୍ରା ମହାପାତ୍ର ବୋଲି ଜଣାପଡ଼ିଛି। ଏହା କିପରି ସମ୍ଭବ ହେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ପଞ୍ଚାୟତର ପିଇଓ ଅଭିନଵ ଉପାୟରେ ଏହି ଆବାସ ଅନୁଦାନ ହଡ଼ପ୍ କରିନେଇଥିବା କିଛି ଗ୍ରାମବାସୀ କହିଛନ୍ତି। ପିଏମ୍ ଆବାସ ଯୋଜନା ଉପରେ ସଠିକ୍ ଯାଞ୍ଚ କରାଗଲେ ଏହାର ସମ୍ପୂର୍ଣ ସତ୍ୟତା ପଦାକୁ ଆସିପାରନ୍ତା ବୋଲି କୁହାଯାଇଛି । ଖାଲି ଏହି ଗୋଟିଏ ନୁହେଁ ଏହି ପଞ୍ଚାୟତରେ ଏପରି ଅନେକ ହିତାଧିକାରୀ ଙ୍କ ଫଟୋ ସ୍ଥାନରେ ଭିନ୍ନ ଲୋକଙ୍କ ଫଟୋ ଲଗାଯାଇ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


