ପିଏମ୍ଶ୍ରୀ ହରିହର ହାଇସ୍କୁଲ ହେବ ଐତିହ୍ୟ ବିଦ୍ୟାଳୟ: ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ
ଆସିକା(ୱାଇଏନ୍ଏସ୍) : ଗତ ଏକ ଶତାଦ୍ଧୀରୁ ଅଧିକ କାଳ ଧରି ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ସମୃଦ୍ଧିର ଶିଖର ଦେଇପାରିଥିବା ଐତିହ୍ୟସଂପନ୍ନ ବିଦ୍ୟାଳୟ ଗୁଡିକର ବିକାଶ ହେବ । ପଞ୍ଚସଖାଙ୍କ ଭଳି ବିଭିନ୍ନି ମହାମନିଷୀଙ୍କ ଦ୍ୱାରା ପ୍ରତିଷ୍ଠିତ ବହୁ ବିଦ୍ୟାଳୟ ଆଜି ବି ଶହେ ବର୍ଷର ଐତିହ୍ୟକୁ ନେଇ ଦଣ୍ଡାୟମାନ ହୋଇରହିଛି । ଏହିସବୁ ଐତିହ୍ୟସଂପନ୍ନ ସ୍କୁଲଗୁଡିକର ସ୍ମୃତି ଓ ଗୌରବକୁ ପୁର୍ନଜୀବିତ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଐତିହ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ । ଆସିକା ସହରର କେନ୍ଦ୍ରସ୍ଥଳରେ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସର୍ବପୁରାତନ ୫୧ଟି ବିଦ୍ୟାଳୟକୁ ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଆସିକା ସହରର ଅତି ପୁରାତନ ହରିହର ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ତାଲିକାରେ ସ୍ଥାନ ପାଇଥିବାରୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ରଂଜିତ୍ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ଅର୍ଚ୍ଚନା ପାଢୀ, ମମତା କୁମାରୀ ଭଂଜ, ଅଜିତ୍ କୁମାର ରଣା, ଦେବେନ୍ ନାୟକ, ନର୍ମଦା କୁମାରୀ ସ୍ୱାଇଁ, ସବିତା କୁମାରୀ ତ୍ରିପାଠୀ, ଗାୟତ୍ରୀ ପାତ୍ର, ବଟକୃଷ୍ଣ ଗୌଡ, ଶୁଭେନ୍ଦୁ ଶେଖର ମିଶ୍ର, ରଶ୍ମିତା କୁମାରୀ ମିଶ୍ର, ଅନିଲ୍ ବେହେରା, ଜୁଲି ରଥ, ଚନ୍ଦ୍ରିକା ସୁନା, ପ୍ରଜ୍ଞା ପରିମିତା ପ୍ରଧାନ, ମନୋରଂଜନ ପଣ୍ଡାଙ୍କ ସମେତ ବହୁ ସଚେତନ ନାଗରିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରର ସର୍ବପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲର ଐତିହ୍ୟ, ସମୃଦ୍ଧି ଓ ପରମ୍ପରାକୁ ବଜାୟ ରଖିବା ସହ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ପ୍ରୟାସ ଅତି ପ୍ରଶଂସନୀୟ ହୋଇପଡିଥିଲା ବେଳେ ଓଡିଶା ସରକାରଙ୍କ ଏହି ପଦକ୍ଷେପ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା କୃତଜ୍ଞତା ଜ୍ଞାପନ କରିଛନ୍ତି । ଗତ କିଛି ବର୍ଷ ତଳେ ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଶତାୟୁ ପୁରାତନ ହରିହର ହାଇସ୍କୁଲକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପିଏମ୍ଶ୍ରୀ ବିଦ୍ୟାଳୟରେ ସାମିଲ୍ କରାଯାଇଥିଲା ବେଳେ ବର୍ତ୍ତମାନ ପୁଣି ଐତିହ୍ୟ ବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛିି । ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଆସିକା ହରିହର ହାଇସ୍କୁଲକୁ ଇତିମଧ୍ୟରେ ୧୦୯ ବର୍ଷ ବିତି ଯାଇଥିଲା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ପଞ୍ଚସଖା ପାର୍କରେ ଉତ୍କଳ ପଣ୍ଡିତ ଗୋପବନ୍ଧୁ ଦାଶ, ଗୋଦାବରିଶ ମିଶ୍ର, ନୀଳକଣ୍ଠ ଦାଶ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଥିଲା ବେଳେ ୨୦୨୬-୨୭ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଦଶମ ଶ୍ରେଣୀରେ ପ୍ରାୟ ୩୭୬ ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲା ବେଳେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉତ୍ତମ ଶିକ୍ଷାଦାନ ପ୍ରଣାଳୀ ଓ ମାର୍ଗଦର୍ଶନ ଯୋଗୁଁ ବିଦ୍ୟାର୍ଥୀମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହେଉଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଐତିହ୍ୟ ବିଦ୍ୟାଳୟ ଯୋଜନାରେ ଆସିକା ଅଞ୍ଚଳର ଶତାୟୁ ପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲକୁ ସ୍ଥାନିତ କରିବା ସାଙ୍ଗକୁ ବିକଶିତ କରିବା ଲକ୍ଷ୍ୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯାଇ ସାରିଥିବା ଜଣାପଡିଛି । ଐତିହ୍ୟ ବିଦ୍ୟାଳୟର କାର୍ଯ୍ୟ ସରକାରଙ୍କ ପକ୍ଷରୁ ଓବିସିସି (ଓଡିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍) କୁ ପ୍ରଦାନ କରିଥିବା ଜଣାପଡିଛି । ଐତିହ୍ୟ ଯୋଜନାରେ ସାମିଲ୍ ହୋଇଥିବା ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରାରମ୍ଭିକ ଭାବେ ଉନ୍ନତିକରଣ କରାଯିବ ଓ ଏଥିପାଇଁ ପ୍ରାୟ ୩ କୋଟି ୯୨ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ମିଳିବା ପରେ ବିଦ୍ୟାଳୟର ଭିତ୍ତିଭୂମୀର ଉନ୍ନତିକରଣ ସାଙ୍ଗକୁ ଗ୍ୟାଲେରୀ, ପୁରାତନ ବିଦ୍ୟାର୍ଥୀଙ୍କ ପାଇଁ ହଲ୍, ବହୁମୁଖୀ ପ୍ରେକ୍ଷାଳୟ, ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୩ଟି ନୁଆଁ ଶ୍ରେଣୀଗୃହ, ଶିକ୍ଷାନୁଷ୍ଠାନର ଐତିହାସିକ ମୂଲ୍ୟ ବଜାୟ ରଖିବାକୁ ପୁରୁଣା କୋଠାକୁ ସୁରକ୍ଷା ଦେବାକୁ ପ୍ରାଥମିକତା, କ୍ରୀଡା ଭିତ୍ତିଭୂମୀ ନିର୍ମାଣ ସତମେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲରୁ ଅତୀତରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଭି.ଭି.ଗିରିଙ୍କ ସମେତ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ, ଡାକ୍ତର ପି.ତେଜେଶ୍ୱର ରାଓ, ପୂର୍ବତନ ମନ୍ତ୍ରୀ ହରିହର ସ୍ୱାଇଁ, ପୂର୍ବତନ ସାଂସଦ ରାମଚନ୍ଦ୍ର ରଥ, ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ, ଜାହଜ କମ୍ପାନୀର ମାଲିକ ଧରମତେଜାଙ୍କ ସମେତ ବହୁ ଛାତ୍ର ପାଠ ପଢି ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନଜିର୍ ରହିଛି । ଓଡିଶା ସରକାରଙ୍କ ପକ୍ଷରୁ ଆସିକା ସହରର ଶତାୟୁ ପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।


