ରଥଯାତ୍ରା ପାଇଁ ସମବାୟ ଚିନିଶିଳ୍ପରେ ପ୍ରସ୍ତୁତି ବୈଠକ

ଆସିକା (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ଜଗତର ନାଥ ଜଗନ୍ନାଥଙ୍କ ଆଗାମୀ ଘୋଷଯାତ୍ରା ପାଇଁ ଦ୍ରୁୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଉ ମାତ୍ର କିଛି ଦିନ ପରେ ଅନୁଷ୍ଟିତ ହେବ ପବିତ୍ର ରଥଯାତ୍ରା। ତିନିଠାକୁର ଭକ୍ତଙ୍କ ଗହଣରେ ନବଦିନ ବ୍ୟାପୀ ମାଉସୀମା ମନ୍ଦିରକୁ ଯିବେ। ଆସନ୍ତା ଜୁଲାଇ ମାସ ୧୬ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଉତ୍ସାହ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିବା ସକାଶେ ଆସିକା ସମବାୟ ଚିନିଶିଳ୍ପର ସମ୍ମିଳନୀ କକ୍ଷରେ ଶନିବାର ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‍ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ଉପସଭାପତି ତଥା ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ ଓ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର କର ଏବଂ ସଂପାଦକ ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ ଏବଂ କୋଷାଧ୍ୟକ୍ଷ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ସଦସ୍ୟ ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାୟକ, ଦାମୋଦର ସିୟ, ଅନିଲ୍‍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗଦେଇ ଆଗାମୀ ୨୯ ତାରିଖରେ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ମାସ ୧୫ ତାରିଖରେ ହେବାକୁ ଥିବା ଠାକୁରଙ୍କ ନବଯୌବନ ଦର୍ଶନ ଏବଂ ଜୁଲାଇ ମାସ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ଦିନ ଶ୍ରୀ ଜିଉଙ୍କ ପହଣ୍ଡି, ରଥଟଣା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥଯାତ୍ରା ଦିନ ଶୃଙ୍ଖଳିତ ରଥାଟଣା ପାଇଁ ପଦକ୍ଷେପ, ଜୁଲାଇ ମାସ ୨୭ ତାରିଖ ଦିନ ହେବାକୁ ଥିବା ବିଶ୍ୱ ବ୍ରହ୍ମାଣ୍ଡକର୍ତ୍ତାଙ୍କ ନିଳାଦ୍ରୀବିଜେ ସମେତ ବିଭିନ୍ନ ନୀତିକାନ୍ତି ଓ ବିଧିବିଧାନକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ବିସ୍ତୃତ ଭାବେ ଆଲୋଚନା କରିବା ସାଙ୍ଗକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ରଥଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ସାମିଲ ହେବାକୁ ଥିବା ବେଳେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଜୁଲାଇ ମାସ ୧୬ ତାରିଖ ଗୁରବାର ଦିନ ଅନୁଷ୍ଟିତ ହେବାକୁ ଥିବା ରଥଯାତ୍ରା ସମୟରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିରରୁ ବାହାରି ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚିବା ପରେ ଦାରୁବ୍ରହ୍ମ ନବଦିନ ବ୍ୟାପି ଆଡପ ମଣ୍ଡପରେ ପୂଜାପାଇବେ। ଚଳିତ ବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚିନିଶିଳ୍ପ ନୁଆଗାଁରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଉତ୍ସବକୁ ଆନନ୍ଦ ଓ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ