ସ୍ଥାୟୀ ଡାକ୍ତର ଫାର୍ମାସିଷ୍ଟ ନିଯୁକ୍ତି ଦାବିରେ ବିକ୍ଷୋଭ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗାରାବନ୍ଧ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା। ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଜୀବନ ବିପନ୍ନ ହେଉଥିବା କାରଣରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଅଞ୍ଚଳବାସୀ । ପାରଳାଖେମୁଣ୍ଡି ବ୍ରହ୍ମପୁର ମୂଖ୍ୟ ରାସ୍ତାର ଗାରାବନ୍ଧ ଠାରେ  ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି, ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନିୟୋଜିତ ସହ ୨୪ ଘଣ୍ଟା ମେଡିକାଲ ଖୋଲିବା ଦାବୀ ରଖି ସକାଳ 7 ଘଣ୍ଟା ଠାରୁ 11.30 ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଦାବି ଥିଲା ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ବ୍ୟବସ୍ତା ଯୋଗାଇଦେବା । ହେଲେ ଦୀର୍ଘ 8 ମାସ ହେଲା ଏହି ଦାବୀ କରି ଆସୁଥିଲେ ମଧ୍ୟ  ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କର୍ଣ୍ଣପାତ କରୁନଥିବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ ଲୋକେ । ଫଳରେ ପାରଳାଖେମୁଣ୍ଡି-ବ୍ରହ୍ମପୁର ରାଜ୍ୟରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ମହାପାତ୍ର ଏବଂ ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ  ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ତଥା ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ହଟିବୁ ନାହିଁ ବୋଲି ଲୋକେ ଜିଦ୍ ଧରିଥିଲେ । ଶେଷରେ ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ ଆପୋଷ ଆଲୋଚନା ପରେ ଦାବୀ ଗୁଡିକୁ ଶୀଘ୍ର ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକରୁ ହଟିଥିଲେ ଆନ୍ଦୋଳନକାରୀ । ଗାରାବନ୍ଧ ଅଞ୍ଚଳର ଜନସାଧାରଣଙ୍କ ଏହି ଆନ୍ଦୋଳନ ସମୟରେ ଅଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ ଭାବେ ବନ୍ଦ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ