ଗ୍ରାମରକ୍ଷୀଙ୍କ ମହନୀୟତା: ଗୁରୁତର ଶିଶୁକୁ କଲେ ରକ୍ତଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଗ୍ରାମରକ୍ଷୀଙ୍କ ମହନୀୟତା ଯୋଗୁଁ ଜଣେ ଗୁରୁତର ଶିଶୁର ପ୍ରାଣରକ୍ଷା ହୋଇଥିବା ଜଣା ପଡିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରୁ ଆସିଥିବା 9 ବର୍ଷୀୟ ଶିଶୁ ରକ୍ତହୀନତା ରୋଗରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁଟିର ଜୀବନରକ୍ଷା ପାଇଁ ଦୁଇ ୟୁନିଟ୍ ରକ୍ତର ଆବଶ୍ୟକତା ଥିଲା | ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୟୁନିଟ୍ ରକ୍ତ ମାଗଣାରେ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ଏକ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ପରିବାର ଚିନ୍ତାରେ ପଡ଼ିଥିଲେ। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଫୁଲ୍ଲ ଜାଗାରାଙ୍ଗାଙ୍କୁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା। ହାବିଲଦାର କନ୍ଦର୍ପ ପାତ୍ରଙ୍କ ସହଯୋଗରେ ନୂତନ ଭାବେ ନିଯୁକ୍ତି ହୋଇଥିବା ଗୃହରକ୍ଷୀ ରକି ମହାରଣା ଆଗେଇ ଆସି ‘ବି’ ପଜିଟିଭର ଏକ ୟୁନିଟ୍ ରକ୍ତଦାନ କରିଥିଲେ। ଫଳରେ ପୀଡ଼ିତ ଗୁରୁତର ଶିଶୁଟି ଆବଶ୍ୟକ ରକ୍ତ ପାଇ ସୁସ୍ଥ ହୋଇଥିଲେ ।


