ଦୁର୍ଘଟଣାରେ ଜନସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ଶାଖା କେନାଲରେ ପଡି କେନ୍ଦ୍ରାପଡ଼ା ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନିରଞ୍ଜନ ବେହେରା(୪୪)ଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମରେ ବୋଲି ଜଣାପଡିଛି। ସୋମବାର ରାତିରେ ସେ ବାଇକରେ ଘରକୁ ଫେରୁଥିବା ବେଳେ କଜଳା ଶାଖା କେନାଲ ମଧ୍ୟକୁ ବାଇକ ସହ ପଡି ଯାଇଥିଲେ। ବାଇକ ତଳେ ସେ ଚାପି ହୋଇ ଯାଇଥିଲେ। ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।


