ରଜ ମହୋତ୍ସବ ପାଳିତ

ଧାମନଗର(ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହ ପଞ୍ଚାୟତ ମେଳଣ ପଡ଼ିଆ ପରିସରରେ ଓଡ଼ିଆଙ୍କ ଗଣପର୍ବ ‘ରଜ’ର ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ “ଆଞ୍ଚଳିକ ରଜ ମହୋତ୍ସବ” କମିଟି ତରଫରୁ ଅଷ୍ଟମ ତମ ରଜ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଧାମନଗର ପୂର୍ବତନ ବିଧାୟକ ସ୍ୱର୍ଗତ ମାନସ ରଞ୍ଜନ ମଲ୍ଲିକଙ୍କ ଯୋଗ୍ୟ ସନ୍ତାନ ତଥା ଯୁବ ରାଜନେତା, ସମାଜସେବୀ ନନ୍ଦିଘୋଷ ଟିଭି ଏବଂ ‘ସକାଳ’ ଖବରକାଗଜର ପ୍ରକାଶକ ଅମିତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜ ପର୍ବ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ହୃଦାନନ୍ଦ କର, ମନୋଜ ଜେନା, ଅଧ୍ୟାପକ ଶ୍ରୀଧର ସାହୁ ଓ ସାମ୍ବାଦିକ ସନ୍ତୋଷ ଦାସ ଯୋଗଦେଇ ରଜ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ମତ ରଖିଥିଲେ।ଉତ୍ସବ ଅବସରରେ କବିମାନଙ୍କ ଦ୍ୱାରା କବିତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକସଂସ୍କୃତି, ପରମ୍ପରା ଓ ରଜ ପର୍ବର ମହିମାକୁ ନେଇ ପାଠ କରାଯାଇଥିବା କବିତା ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।ଆଜିର ଦିନରେ ରଜ ଦୋଳି,ପୁଚି ଖେଳ, ରଜପାନ ଓ ଗ୍ରାମୀଣ ମିଳନ ପରମ୍ପରା ଧୀରେ ଧୀରେ ହଜିଯାଉଥିବା ବେଳେ ଏଭଳି ମହୋତ୍ସବ ନୂତନ ପିଢ଼ୀଙ୍କୁ ନିଜ ମାଟିର ସଂସ୍କୃତି ସହ ଯୋଡ଼ିବାରେ ସହାୟକ ହେବ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିଲେ। ରଜ ପର୍ବର ପାରମ୍ପରିକ ଉତ୍ସାହ ଓ ଆନନ୍ଦ ମଧ୍ୟରେ ମହୋତ୍ସବ ଅନୁଷ୍ଟିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ