ନାଉଗାଁ ବ୍ଳକରେ ଘୋଷଯାତ୍ରା
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଗୁରୁବାର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା, ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦିରେ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଗାରୋଇ ଗୋବର୍ଦ୍ଧନ ପୀଠରେ ରୀତିନିତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା। ଗୋବର୍ଦ୍ଧନ ପୀଠରେ ୩ ରଥ ପ୍ରାତଃ ସମୟରୁ ସୁସଜ୍ଜିତ ହୋଇ ବଡ ଦାଣ୍ଡରେ ରହିଥିଲେ। ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ଶଙ୍ଖ, ହୁଳହୁଳି, ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ,ମା’ ସୁଭଦ୍ରାଙ୍କୁ ଦର୍ପଦଳନ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁମାନେ ରଥାରୁଢ କରିଥିଲେ। ଠାକୁର ରାଜା ଜ୍ଞାନରଂଜନ ବିଶ୍ୱାଳଙ୍କ ଅନୁପସ୍ଥିତ ଯୋଗୁ ତାଙ୍କ ମୂଦି ରଥ ଭାବେ ପଣ୍ଡିତ ଅଭୟ କୁମାର ମିଶ୍ର ୩ ରଥରେ ଛେରା ପହଁରା କରିଥିଲେ। ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ତେଲସରାସ୍ଥିତ ମାଉସୀ ମା’ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ଏଠାରେ ସାଧାରଣତଃ ମା’ସୁଭଦ୍ରାଙ୍କ ରଥକୁ ମହିଳାମାନେ ହିଁ ଟାଣିଥିଲେ। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ଶେଷ କରିବାକୁ ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁ, ଏସଡିପିଓ ଦିବ୍ୟ ରଂଜନ ନାଥ,ଥାନାଧିକାରୀ ଦେବାଶୀଷ ପଣ୍ଡା,ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ସୁବନ୍ଦୋବସ୍ତ କରାଯାଇଥିଲା। ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା। ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ସ୍ୱାଇଁ, ମାନସ ରଂଜନ ମହାନ୍ତି ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଘୋଷଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ। ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମାଉସୀ ମା’ ଘରେ ପହଂଚିବା ପରେ ପ୍ରତ୍ୟହ ସଂଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ସଂସଦର ସଦସ୍ୟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


