ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ବି ନଦୀ ସ୍ରୋତରେ ଭାସିଗଲେ
ଉଦଳା,(ରାଜୀବ କୁମାର ବେହେରା): ହଠାତ୍ ମାଡ଼ି ଆସିଲା ପାହାଡ଼ି ପାଣି ବଢ଼ିଗଲା ନଦୀର ଜଳସ୍ତର, ପ୍ରବଳ ଜଳସ୍ରୋତରେ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ମଧ୍ୟ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିବା ଘଟଣା ଖୁଣ୍ଟା ଥାନା ଅଧୀନ ଗଡ଼ିଗାଁ ଗ୍ରାମ ପଞ୍ଚାୟତର ମଲ୍ହାରପଦା ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି। ଘର ନିକଟରେ ଥିବା ନଦୀରେ ହଠାତ୍ ପାହାଡ଼ି ପାଣି ମାଡ଼ି ଆସିବାରୁ ପରମେଶ୍ୱର ନାଏକ ନଦୀ ସ୍ରୋତରେ ଭାସିଯାଇଥିଲେ। ଭାଇକୁ ବିପଦରେ ଦେଖି ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାଏକ ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲେ। କିନ୍ତୁ ଭାଇକୁ ବଞ୍ଚାଇବାର ଚେଷ୍ଟା କରୁଥିବା ବେଳେ ପ୍ରବଳ ଜଳସ୍ରୋତରେ ଉଭୟେ ନିଖୋଜ ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ପରେ କରକଚିଆ ନଦୀ ଅଞ୍ଚଳରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଭାଇ ପରମେଶ୍ୱରଙ୍କ ମୃତଦେହ ଘର ନିକଟରୁ କିଛି ଦୂରରେ ମିଳିଥିବା ସୂଚନା ରହିଛି। ଅସମୟରେ ଦୁଇ ଭାଇ-ଭଉଣୀଙ୍କୁ ହରାଇ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।


