ସମବାୟ ଚିନିଶିଳ୍ପର କ୍ଷେତ୍ର କର୍ମଚାରୀଙ୍କ ସମୀକ୍ଷା ବୈଠକ
ଆସିକା(ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ କିପରି ଆହୁରି ସୁଦୃଢ କରାଯାଇପାରିବ ଏବଂ ଆଖୁଚାଷୀମାନେ କିପରି ଆଖୁଚାଷ କରିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରିବେ ସେ ସଂକ୍ରାନ୍ତରେ ରୂପରେଖ ପ୍ରସ୍ତୁତ କରିବା ପାଇଁ କ୍ଷେତ୍ର କର୍ମଚାରୀଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପରାମର୍ଶକ୍ରମେ ଶିଳ୍ପାନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା କ୍ଷେତ୍ର କର୍ମଚାରୀଙ୍କ ସମୀକ୍ଷା ବୈଠକରେ ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି ଅଧ୍ୟକ୍ଷତା କରିଥିଲେ । ଏହି ସମୀକ୍ଷା ବୈଠକରେ ଆଗାମୀ ଆଖୁପେଡା ଋତୁ ସକାଶେ ଅଧିକ ସର୍କରାଯୁକ୍ତ ଓ ସର୍ବାଧିକ ଅମଳକ୍ଷମ କିସମର ନୁଆଁ ଆଖୁଚାରା ଓ ବିହନ କ୍ରୟ, ପଞ୍ଜିକୃତ ଆଖୁଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ କିସମର ସାର ଓ ବିହନ ଯୋଗାଣ, ଆଖୁଚାଷୀମାନଙ୍କୁ ଆଖୁଚାଷ କରିବା ସକାଶେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଆଖୁଚାଷୀମାନେ ଆଖୁଚାରା ଲଗାଣ ଠାରୁ ଆରମ୍ଭ କରି ଅମଳକ୍ଷମ ହେବା ପର୍ଯ୍ୟନ୍ତ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସମେତ ଆଖୁଚାଷର ପ୍ରସାର ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପର କ୍ଷେତ୍ର କର୍ମଚାରୀ ଏହି ସମୀକ୍ଷା ବୈଠକରେ ଆଖୁ ବିଭାଗର କିରାଣୀ ପ୍ରଶାନ୍ତ କୁମାର କର, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଚିରଞ୍ଜିବୀ ମହାନ୍ତି, ଧ୍ରୁବ ଚରଣ ସାହୁ, ଦିଲୀପ କୁମାର ସ୍ୱାଇଁ, କାମେଶ୍ୱର ବେହେରା, ଆଖୁ ଉନ୍ନୟନ ସହାୟକ ଲଡୁକିଶୋର ଗୁରୁ, ଚନ୍ଦ୍ରଶେଖର ଗୌଡ, ଜଗନ୍ନାଥ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ବାବୁଜହ୍ନ ପ୍ରଧାନ, ରାଜଗୋପାଳ ପାଢୀ, ରାଜା ବିଶ୍ୱାଳ, ଲଲାଟେନ୍ଦୁ ସ୍ୱାଇଁ, ଅମିତ୍ କୁମାର ବିଶ୍ୱାଳ, ଅମୀୟ ବିଶ୍ୱାଳ, ରାଜେନ୍ଦ୍ର କୁମାର ସିୟ, ସୁଶାନ୍ତ କୁମାର ଗୌଡ, ବିଷ୍ଣୁଚରଣ ବେହେରା, ଧବଳେଶ୍ୱର ମହାନ୍ତି, ଦେବେନ୍ଦ୍ର କୁମାର ସାହୁ, କମଳାକାନ୍ତ ସ୍ୱାଇଁ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶୋକ କୁମାର ଘଡେଇ, ଆଶିଷ୍ ପରିଡା, ଅବସରପ୍ରାପ୍ତ ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ କମ୍ବୁଚରଣ ବେହେରା, ଅବସରପ୍ରାପ୍ତ ଆଖୁ ଉନ୍ନୟନ ସହାୟକ ସରୋଜ କୁମାର ପ୍ରହରାଜ ଓ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଆଖୁ ବିଭାଗର କର୍ମଚାରୀ ଅଙ୍କୁଶ ରାୟ ଓ ଅମର ନାହାକ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପ ଗଂଜାମ ଜିଲ୍ଲାର ହିଂଜିଳିକାଟୁ, ଆସିକା, ଶେରଗଡ, ଧରାକୋଟ, ସୋରଡା, ପାତ୍ରପୁର, ଭଂଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ବୁଗୁଡା, ପୁରୁଷୋତ୍ତମପୁର, ସାନଖେମୁଣ୍ଡି, ଖଲିକୋଟ, ବେଗୁନିଆପଡା, କବିସୂର୍ଯ୍ୟନଗର, ପୋଲସରା ବ୍ଳକ ସମେତ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷ କରୁଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର ସାଙ୍ଗକୁ ଚାଷୀ ମାନେ ଯେପରି ଆଖୁଚାଷ କରିବା ଲାଗି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ପରିଲକ୍ଷିତ ହେଉଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଏବଂ ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧିଙ୍କ ସମେତ କ୍ଷେତ୍ର କର୍ମଚାରୀମାନେ ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକୁ ଗସ୍ତ କରି ଚାଷୀଙ୍କୁ ସଚେତନ କରିବା ଠାରୁ ଆରମ୍ଭ କରି ଆଖୁଚାଷର ବହୁଳ ପ୍ରଚାର ଓ ପ୍ରସାର ଏବଂ ଉନ୍ନତ ମାନର ଆଖୁ ଉତ୍ପାଦନରେ ଚାଷୀମାନଙ୍କୁ କିପରି ସହାୟତା ମିଳିପାରିବ ଓ ଆଖୁଚାଷୀମାନେ କିପରି ଆତ୍ମନିର୍ଭର ସାଙ୍ଗକୁ ସ୍ୱାବଲମ୍ବୀ ହୋଇପାରିବେ ସେ ସଂକ୍ରାନ୍ତରେ ସଚେତନ କରିବା ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଅତ୍ୟାଧୁନିକ ପଦ୍ଧତିରେ ଆଖୁଚାଷ କରି ଚାଷୀମାନେ କିପରି ଲାଭବାନ୍ ହୋଇପାରିବେ ତାହାରି ଉପରେ ସଚେତନ କରୁଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ସଂରକ୍ଷିତ ଅଞ୍ଚଳ ଯଥା ଗଞ୍ଜାମ, ନୟାଗଡ ଜିଲ୍ଲାର ଆଖୁଚାଷୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ସଚେତନ କରାଯିବା ସାଙ୍ଗକୁ ଆସନ୍ତା ୨୦୨୬-୨୭ ଆଖୁପେଡା ଋତୁ ପାଇଁ ଅନ୍ୟୁନ ୬୦ ହଜାର ଟନ୍ ଆଖୁ ଉତ୍ପାଦନ ସକାଶେ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା ବେଳେ ଟନ୍ ପିଚ୍ଛା ୪୦୦୦ ଟଙ୍କା ଏବଂ ବୋନସ୍ ୫୦୦ ଟଙ୍କା ଏହିଭଳି ସମୂଦାୟ ୪୫୦୦ ଟଙ୍କା ପ୍ରଦାନ ସାଙ୍ଗକୁ ଗଞ୍ଜାମ ଜିଲ୍ଲାର ଜଳଭଣ୍ଡାରରୁ ଆଖୁଚାଷ ପାଇଁ ଜଳଯୋଗାଣ, ନଳକୂପ ଓ ସୌରଚାଳିତ ପମ୍ପ୍ ସ୍ୱଳ୍ପ ସୁଧରେ ଯୋଗାଣ, ବନ୍ୟଜନ୍ତୁମାନଙ୍କ କବଳରୁ ଆଖୁଚାଷକୁ ରକ୍ଷା କରିବା ପାଇଁ ସ୍ୱଳ୍ପ ସୁଧରେ ସୌରଚାଳିତ ଝଟକା ଯନ୍ତ୍ର ଯୋଗାଣ, ପାଣିର ସଦୁପଯୋଗ ପାଇଁ ସ୍ୱଳ୍ପ ସୁଧରେ ବୁନ୍ଦା ଜଳସେଚନ ସକାଶେ ଋଣ ବ୍ୟବସ୍ଥା, ଠିକା ଶ୍ରମିକଙ୍କ ଦ୍ୱାରା ଆଖୁ କାଟିବା ଓ ସଫା କରିବା ଏବଂ ବୋହିନେବା ଗାଡିରେ ବୋଝେଇ ବ୍ୟବସ୍ଥା କାର୍ଯ୍ୟକାରୀ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଚାଷୀମାନଙ୍କୁ ସଚେତନତା କରାଯିବା ସାଙ୍ଗକୁ ଅଧିକରୁ ଅଧିକ ଆଖୁଚାଷ କରିବା ଲାଗି ମାର୍ଗଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ସାଂପ୍ରତିକ ପରିସ୍ଥିତିରେ ଆସିକା ସମବାୟ ଚିନିଶିଳ୍ପ ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ, ସୋରଡା, ଶେରଗଡ, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ବୁଗୁଡା, ଭଂଜନଗର, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, କବିସୂର୍ଯନଗର, ପୋଲସରା, ଖଲିକୋଟ, ବେଗୁନିଆପଡା, ସାନଖେମୁଣ୍ଡି, ଦିଗପହଣ୍ଡି ଓ ନୟାଗଡ ବ୍ଳକ ପରିସରଭୁକ୍ତ ଅଞ୍ଚଳର ଆଖୁଚାଷ କରୁଥିବା ବେଳେ ଆଖୁଚାଷର ବହୁଳ ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।


