ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଆସିକା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁ ସ୍ଥିତ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍‍ ହାଇସ୍କୁଲ ପରିସରରେ ଗଞ୍ଜାମ ଜୁଡୋ ଏସୋସିଏସନ୍‍ ଏବଂ ଚିନିଶିଳ୍ପ ନୁଆଗାଁ ଗ୍ରାମବାସୀଙ୍କ ମିଳିତ ସହଯୋଗ ସାଙ୍ଗକୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରବିବାର ଏକ ମାଗଣା ପରଳ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ପରଳ ଓ ଚକ୍ଷୁ ପରୀକ୍ଷଣ ଶିବିରରେ ଚିନିଶିଳ୍ପ ନୁଆଗାଁ ତଥା ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୨୩ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୮ ଜଣ ଚକ୍ଷୁ ରୋଗୀଙ୍କ ପରଳ ଅସ୍ତ୍ରୋପଚାର ପାଇଁ ମନୋନୀତ ତଥା ଚିହ୍ନଟ କରାଯାଇଥିଲା ବେଳେ ୫ ଜଣଙ୍କ ଚକ୍ଷୁ ବାଧିତ ରୋଗୀଙ୍କୁ ଚଷମା ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମେନେଜର ନଳିନୀକାନ୍ତ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅପ୍‍ଥଲମିକ୍‍ ସହାୟିକା ଲକ୍ଷ୍ମୀପ୍ରିୟା ଦାଶ ଓ ନର୍ସ ନନ୍ଦିନୀ ମହାରଣା, ସିଏଚ୍‍ଡବ୍ଳୁ ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁରୋଗୀଙ୍କ ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲା ବେଳେ ଏହି ମାଗଣା ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମକୁ ପରିଚାଳନାରେ ଗଞ୍ଜାମ ଜୁଡୋ ଏସୋସିଏସନ୍‍ର ସଂପାଦକ ତଥା ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ରାଘବ କୁମାର ନାହାକଙ୍କ ପରାମର୍ଶକ୍ରମେ ସଂଘର ସ୍ୱେଚ୍ଛାସେବୀ କାଳିଆ ବିଷୋୟୀ, ରାମ ବିଷୋୟୀ, ବାବୁ ବିଷୋୟୀ, ରୁଦ୍ର ନାହାକ, ଲବ ମହାନ୍ତି, କୁଶ ମହାନ୍ତି, ନୀଳ ବିଷୋୟୀଙ୍କ ସମେତ ବହୁ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଗଞ୍ଜାମ ଜୁଡୋ ଏସୋସିଏସନ୍‍ ଏବଂ ଚିନିଶିଳ୍ପ ନୁଆଗାଁ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ମାଗଣା ପରଳ ଓ ଚକ୍ଷୁ ଚିକିତ୍ସା ଶିବିରର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ତଥା ଗଞ୍ଜାମ ଜୁଡୋ ଏସୋସିଏସନ୍‍ର ସଂପାଦକ ରାଘବ କୁମାର ନାହାକ ଏବଂ ଦି ଆସିକା ସୁଗର୍‍ ଇଣ୍ଡଷ୍ଟ୍ରିଜ୍‍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ପ୍ରତିଦିନ ପରିଷ୍କାର ପାଣିରେ ଆଖିକୁ ଧୋଇବା, ଚକ୍ଷୁବାଧିତ ବ୍ୟକ୍ତିମାନେ ଉପଯୁକ୍ତ ଚଷମାର ବ୍ୟବହାର କରିବା, କ୍ଷୀର ଓ ମହୁ ଏବଂ ଗୋଲାପ ଜଳ ଇତ୍ୟାଦି ପରି ଘରୋଇ ଉପଚାର ଆଖିରେ ବ୍ୟବହାର ନକରିବା, ଧ୍ରୁମପାନ ଓ ନିଶାପାନ ଆଖି ଏବଂ ସ୍ୱାସ୍ଥ୍ୟର କ୍ଷତି କରୁଥିବାରୁ ସେଥିରୁ ଦୂରେଇ ରହିବା ଉପରେ ବହୁ ଉପାଦେୟ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ