ଆସୁଛି ସାବିତ୍ରୀ ଅମାବାସ୍ୟା : ଆଧୁନିକତାର ଛାପ ସତ୍ତ୍ୱେ ଏବେ ବି ବଞ୍ଚିଛି କାଠ ପାନିଆ

ଆସିକା ତା ୧୧/୦୫ (ୱାଇଏନ୍‍ଏସ୍‍) ମନୁଷ୍ୟ ନିଜର ଅଙ୍ଗରାଗ ଲାଗି ହଜାର ହଜାର ବର୍ଷ ପୂର୍ବରୁ ବ୍ୟବହାର କରୁଥିବା ବହୁ ପ୍ରସାଧନ ସାମଗ୍ରୀ ଗୁଡିକ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳ ଯୁଗରେ ଅତୀତର ପ୍ରସାଧନ ସାମଗ୍ରୀ ତଥା ମନୁଷ୍ୟ ପାଇଁ ନିହାତି ଆବଶ୍ୟକ ହେଉଥିବା ନିଜର କେଶ ସଜ୍ଜା ଓ କେଶ ବିନ୍ୟାଶ ପାଇଁ ପାନିଆର ବ୍ୟବହାର ଅତ୍ୟନ୍ତ ଜରୁରୀ। ଅତୀତରେ କେବଳ କାଠ ଓ ଶିଙ୍ଘ ନିର୍ମିତ ପାନିଆକୁ ମନୁଷ୍ୟ ନିଜର କେଶ ସଜାଇବା ପାଇଁ ପ୍ରସାଧନ ସାମଗ୍ରୀ ରୂପେ ବ୍ୟବହାର କରି ଆସୁଥିଲେ। ଆଧୁନିକ ପ୍ଳାଷ୍ଟିକ ଯୁଗରେ ବିଗତ କିଛି ବର୍ଷ ହେଲା କାଠ ପାନିଆର ବ୍ୟବହାର ପ୍ରାୟତଃ ଲୋପ ପାଇବାକୁ ବସିଲାଣି। ପ୍ଳାଷ୍ଟିକରେ ପ୍ରସ୍ତୁତ ପାନିଆର ବହୁଳ ବ୍ୟବହାର ଯୋଗୁଁ ସାଂପ୍ରତିକ ପରିସ୍ଥିତିରେ କାଠ ପାନିଆ ଅଲୋଡା ହୋଇଯାଇଛି। ଯାହାରି ଫଳରେ ଗଞ୍ଜାମ ଜିଲ୍ଲାର କେତେକ ଗ୍ରାମରେ କାଠ ପାନିଆ ପ୍ରସ୍ତୁତ କରି ପରିବାର ପ୍ରତି ପୋଷଣ କରୁଥିବା କାରିଗର ମାନେ ବର୍ଷତମାମ କାମ ନପାଇ ଭାଗ୍ୟକୁ ଆଦରି ପଡି ରହିଥିବା ବେଳେ କେତେକ କାରିଗର ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଅତୀତରେ ଗଞ୍ଜାମ ଜିଲ୍ଲାର କେତେକ ଗ୍ରାମର କାରିଗରମାନେ କାଠ ପାନିଆ ତିଆରି ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ପୂର୍ବପୁରୁଷ ଅମଳରୁ କେତେକ କାରିଗର କାଠ ପାନିଆ ତିଆରି କରି ପରିବାର ପ୍ରତି ପୋଷଣ କରି ଆସୁଥିଲେ। ତେବେ ଆଧୁନିକ ପ୍ଳାଷ୍ଟିକ ଯୁଗରେ କାଠ ପାନିଆର ବ୍ୟବହାର ଲୋପ ପାଇଗଲାଣି। ବର୍ତ୍ତମାନ ସମସ୍ତଙ୍କ ଘରେ ପ୍ଳାଷ୍ଟିକ ପାନିଆ ଶୋଭା ପାଉଛି। ତେବେ ବର୍ଷକରେ ଗୋଟିଏ ଦିନ ପାଇଁ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଏହି କାଠ ପାନିଆର ଆବଶ୍ୟକ ପଡିଥାଏ। ସାବିତ୍ରୀ ଅମାବାସ୍ୟାରେ ଅଳତା, ସିନ୍ଦୁର, ଚୁଡି ସମେତ କାଠ ପାନିଆ ଭାର ଆକାରରେ ଦିଆଯାଇଥାଏ। ତେଣୁ ଆଗକୁ ସାବିତ୍ରୀ ଅମାବାସ୍ୟା ଆସୁଥିବାରୁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ କାଠ ପାନିଆର ବହୁଳ ବିକ୍ରୀବଟା ହେଉଥିବା ଦେଖିବାକୁ ମିଳୁଛି। ହିନ୍ଦୁ ଧର୍ମର ସଂସ୍କୃତି, ପରମ୍ପରା ସହ ଯଡିତ କାଠ ପାନିଆ ଅନ୍ୟ କେତେକ ପୂଜା ଓ ଦେବ କାର୍ଯ୍ୟରେ ମଧ୍ୟ ଆବଶ୍ୟକ ପଡିଥାଏ। ହଜାର ହଜାର ବର୍ଷ ପୂର୍ବରୁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ଏହି କାଠ ପାନିଆ ଏବେବି ଧାର୍ମିକ ଚେତନା ଓ ପୂଜା ସାମଗ୍ରୀ ଭାବେ ବ୍ୟବହାର କରାଯାଇ ଆସୁଛି। ଝିଅ ବାହାଘର ଅଳତା ସିନ୍ଦୁର ପେଢିରୁ ଆରମ୍ଭ କରି ସାବିତ୍ରୀ ବ୍ରତ ଓ ବିଭିନ୍ନ ପୂଜାର୍ଚ୍ଚନା କାର୍ଯ୍ୟରେ ମଧ୍ୟ କାଠ ପାନିଆ ବ୍ୟବହାର କରାଯାଉଛି। ପରମ୍ପରା ଓ ସଂସ୍କୃତିର ମହତ୍ତ୍ୱ ରଖିଥିବା ଏହି କାଠ ପାନିଆର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଗଞ୍ଜାମ ଜିଲ୍ଲାର କେତେକ ଗ୍ରାମର ବହୁ କାରିଗର ପରିବାର ଏହି ଧର୍ମ, ସଂସ୍କୃତି ଓ ପରମ୍ପରା ପ୍ରତୀକ କାଠ ପାନିଆ ବର୍ଷ ସାରା ତିଆରି କରି ଆସୁଛନ୍ତି। ବଣ ଜଙ୍ଗଲରୁ ଗମ୍ଭାରୀ, ସଉରା, କୁରୁମି ପ୍ରଭୃତି କାଠ ସଂଗ୍ରହ କରି ଏହି କାଠ ପାନିଆ ପ୍ରସ୍ତୁତ କରିଥାନ୍ତି। କଞ୍ଚାରେ ନିର୍ମିତ କାଠ ପାନିଆକୁ ହାଲୁକା ହେଲା ପର୍ଯ୍ୟନ୍ତ ଖରାରେ ସୁଖାଇ ଥାନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ମାନେ ଆସି ଏହି କାଠ ପାନିଆକୁ କ୍ରୟ କରି ନେଇଥାନ୍ତି। ଆସିକାରେ ଏହି କାଠ ପାନିଆ ଗୋଟିକୁ ୩ଟଙ୍କାରୁ ୫ ଟଙ୍କାରେ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି। ଏହି କାଠ ପାନିଆରେ ଔଷଧୀୟ ଗୁଣବତ୍ତା ରହି ଥିବା ବେଳେ ଏହା ବ୍ୟବହାର କଲେ କେଶର ମୂଳ ଟାଣ ରହିବା ସହ ମୁଣ୍ଡର ଚର୍ମ ଓ ସ୍ନାୟୁ ସତେଜ ରହିଥାଏ ବୋଲି ବିଶ୍ୱାସ ରହିଛି। ନିଜର ଜୀବିକା ନିର୍ବାହର ପେଶା ଭାବେ ପେଟ ପାଟଣା ବଞ୍ଚାଉଥିବା କାଠ ପାନିଆ କାରିଗରଙ୍କ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ