ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ର ଦୁର୍ନୀତି ଘଟଣା: ଆପୋଷ ସମାଧାନ ପାଇଁ ପ୍ରଶାସନିକ ମସୁଧା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଳକ ଅଧିନ ମହୁ ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ନିର୍ଦ୍ଦେଶରେ ଗୁରୁବାର ଏକ ଟିମ୍ ମହୁ ଗ୍ରାମରେ ପହଞ୍ଚିଥିଲା। ପ୍ରଶାସନ ପକ୍ଷରୁ ଗଠିତ ଏହି ଟିମ୍ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଆଳି ତହସିଲଦାର ସୁମନ ଘୋଷ, ସି.ଡି.ପି.ଓ ମାମିନାବାଳା ପଣ୍ଡା ଏବଂ ଡେପୁଟି କଲେକ୍ଟର ଇପସିତା ପ୍ରିୟଦର୍ଶିନୀ ଗ୍ରାମରେ ପହଞ୍ଚି ଗ୍ରାମବାସୀ ଓ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ ବେଳେ ଜଣାପଡିଥିଲା ଯେ କମ ସଂଖ୍ୟକ ପିଲା କେନ୍ଦ୍ରକୁ ଆସୁଥିବା ବେଳେ ଅଧିକ ସଂଖ୍ୟକ ପିଲାଙ୍କ ଉପସ୍ଥାନ ଦର୍ଶାଇ ଅର୍ଥ ହଡ଼ପ କରାଯାଇଥିବା ବେଳେ ଗାଁ କଲ୍ୟାଣ ପାଇଁ ଆସୁଥିବା ଅର୍ଥ ହେରଫେର, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖେଳନା, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ନକିଣି ଫର୍ଜି ବିଲ ପ୍ରସ୍ତୁତ କରି ଅର୍ଥ ହଡ଼ପ କରିଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ଏଥିସହିତ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଇଥିବା ଏଲ.ଇ.ଡି ଟିଭି ଓ ଇନଭର୍ଟରକୁ ଅଙ୍ଗନବାଡ଼ି କର୍ମୀ ଗାଏବ କରି ମିଛରେ ଚୋରୀ ହୋଇଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ମାନ ଆସିିଥିଲେ। ଅଭିଯୋଗକାରୀ ଦୁଷ୍ମନ୍ତ ତଦନ୍ତକାରୀ ଟିମ୍କୁ ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ସମସ୍ତ କାଗଜପତ୍ରର ପ୍ରମାଣ ଦେଖାଇଥିଲେ। ତଦନ୍ତକାରୀ ଅଧିକାରୀମାନେ ଦୁର୍ନୀତିର ଆଇନଗତ କାର୍ଯ୍ୟାନୁଷ୍ଠାନ ବଦଳରେ ଗ୍ରାମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ ସି.ଡି.ପି.ଓ ଗ୍ରାମବାସୀଙ୍କ ଉପରେ ଚାପ ପକାଇଥିବା ନେଇ ପ୍ରମାଣ ମଧ୍ୟ ପ୍ରଦାନ କରାଯାଇଥିଲା। ଏବାବଦରେ ଗ୍ରାମବାସୀଙ୍କୁ ତଦନ୍ତକାରୀ ଅଧିକାରୀମାନେ ପ୍ରଶ୍ନ କରିଥିଲେ। ହୋଇଥିବା ଦୁର୍ନୀତି ଘଟଣାରେ ଗ୍ରାମବାସୀ ବସି ଏକ ସମାଧାନ କରିନେଇଥିବା କହିଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଅଭିଯୋଗ କାରୀ ଦୁଷ୍ମନ୍ତଙ୍କ ନାମରେ ଦୁଷ୍କର୍ମ ଭଳି ମିଛ ଅଭିଯୋଗ କରିଛନ୍ତି ଏବଂ ଗ୍ରାମବାସୀଙ୍କୁ ମିଛ କହି ସାଧା କାଗଜରେ ଦସ୍ତଖତ କରାଇ ନେଇ ବିଭିନ୍ନ ସ୍ଥାନରେ ମିଛ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଦୁଷ୍ମନ୍ତଙ୍କ ନାମରେ କୌଣସି ସ୍ଥାନରେ କିଛି ବି ଅଭିଯୋଗ କରିନଥିବା ନେଇ ଗ୍ରାମବାସୀ ତଦନ୍ତକାରୀ ଟିମ୍କୁ କହିଥିଲେ। ଗ୍ରାମବାସୀଙ୍କ କଥା ଦୁଷ୍ମନ୍ତଙ୍କ ଅଭିଯୋଗ ସବୁ ଶୁଣିବା ସହିତ ସମସ୍ତ ପ୍ରମାଣ ଦେଖି ସାରିବା ପରେ ଅଙ୍ଗନୱାଡି କର୍ମୀଙ୍କ ସହିତ କଥାବାର୍ତ୍ତା କରି ଏକ ସୁସ୍ଥ ବାତାବରଣ ଫେରାଇ ଆଣିବାକୁ ଅଭିଯୋଗକାରୀ ଦୁଷ୍ମନ୍ତଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମହାନ୍ତି ନିବେଦନ କରିଥିଲେ। ହେଲେ ସରକାରୀ ସହାୟତା ଲୁଟ୍ ଘଟଣାରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଷ୍ମନ୍ତ ଦାବି କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ନିବେଦନକୁ ସମ୍ମାନ ଜଣାଇ ହୋଇଥିବା ପୋଲିସ କେଶ ଗୁଡ଼ିକର ସମାଧାନ ପଞ୍ଚୟତର ସରପଞ୍ଚ ବସିଲେ ହେବ ବୋଲି କହିଥିଲେ। ଏ ନେଇ ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତିଙ୍କୁ ପଚାରିବାରୁ ଅଙ୍ଗନୱାଡି କେନ୍ଦ୍ରରେ ଦୁର୍ନୀତି ନେଇ ହୋଇଥିବା ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି।ପରବର୍ତ୍ତୀ ପର୍ଯ୍ୟାୟରେ ଘଟଣାର ସମାଧାନ ନିମନ୍ତେ ଅଭିଯୋଗକାରୀଙ୍କୁ ନିବେଦନ କରିଥିବା ନେଇ ସେ କହିଛନ୍ତି। ଅନ୍ୟପକ୍ଷରେ ଏ ବାବଦରେ ଦୁଷ୍ମନ୍ତଙ୍କୁ ପଚାରିବାରୁ ଦୁଷ୍ମନ୍ତ କହିଛନ୍ତି ତଦନ୍ତକାରୀ ଅଧିକାରୀ ମାନେ ହୋଇଥିବା ଦୁର୍ନୀତିର ସରକାରୀ ସହାୟତା ଲୁଟ ଘଟଣାରେ ତଦନ୍ତ ନକରି ପୂର୍ବରୁ ସରକାରୀ ଅଧିକାରୀ ମାନେ ଯେମିତି ଦୁର୍ନୀତିକୁ ଚପାଇ ରଖିଛନ୍ତି ଏବେ ଏହି ତଦନ୍ତକାରୀ ଦଳ ଦୁର୍ନୀତି ଘଟଣାକୁ ଚପାଇ ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଥିବା କଥାକୁ ସତ ସାବ୍ୟସ୍ତ କରିବାକୁ ପ୍ରୟାସ କରିଥିଲେ ବୋଲି କହିଛନ୍ତି। ସରକାରୀ ସହାୟତା ଲୁଟ ଘଟଣାକୁ ଚାପି ଏହିଟା ମୋର ବ୍ୟକ୍ତିଗତ ସମସ୍ୟା ବୋଲି ପ୍ରମାଣିତ କରିବାକୁ ଲାଗିଥିଲେ ଯେଉଁଥିରେ ପୁରା ପ୍ରଶାସନ ବିଫଳ ହୋଇ କିଛି ଉପାୟ ନପାଇ ଘଟଣାର ଆପୋଷ ସମାଧାନ କରିବାକୁ ଚାପ ପକାଇଥିଲା ବୋଲି ଦୁଷ୍ମନ୍ତ କହିଛନ୍ତି। ଅର୍ଥାତ୍ ତଦନ୍ତ ନାମରେ ଏହା ଏକ ପ୍ରହସନ ଥିଲା। ଦୁର୍ନୀତି ହୋଇଥିବା ନେଇ ପ୍ରମାଣ ସହିତ ଅଭିଯୋଗ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ଟା କେମିତି ବ୍ୟକ୍ତି ଗତ ସମସ୍ୟା ହେଲା ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମେତ ଏହି ତଦନ୍ତ କାରୀ ଅଧିକାରୀମାନଙ୍କୁ ଦୁଷ୍ମନ୍ତ ପ୍ରଶ୍ନ କରିଛନ୍ତି। ଏଥିସହିତ ଏହି ସରକାରୀ ସହାୟତା ଲୁଟ ଘଟଣାରେ ଯଦି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ତାଙ୍କୁ ଏକମାସ ଭିତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇ ଅନଶନରୁ ଉଠାଇଥିବା ଆଳି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନର୍ବାର ଅନଶନରେ ବସିବେ ବୋଲି ଦୁଷ୍ମନ୍ତ ଚେତାବନୀ ଦେଇଛନ୍ତି।


