୨୦୨୭ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ଜାରି

ଛତ୍ରପୁର(ଓ୍ବାଇଏନଏସ): ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍-୨୦୨୭’ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ଏହି ହ୍ୟାଣ୍ଡବୁକ୍ ମାଧ୍ୟମରେ ଗ୍ରାମ ଓ ସହର ସ୍ତରର ସାମାଜିକ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯାଇ ଜିଲ୍ଲାର ଭବିଷ୍ୟତ ଯୋଜନା, ପ୍ରଶାସନିକ ନିଷ୍ପତ୍ତି ଓ ଗବେଷଣା କାର୍ଯ୍ୟରେ ଉପଯୋଗ କରାଯିବ। ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ସଫଳ ପ୍ରସ୍ତୁତି ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।  ନିର୍ଦ୍ଦେଶାବଳୀ ଅନୁଯାୟୀ, ୩୧ ଡିସେମ୍ବର ୨୦୨୫ କୁ ମୂଳ ରେଫେରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ୧୬ ଜୁଲାଇରୁ ୧୫ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସଂଗୃହିତ ତଥ୍ୟର ଯାଞ୍ଚ ଓ ବୈଧତା ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ସୂଚନା ଦେବା ସହ ଜିଲ୍ଲାରେ କଣ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ ।  ଏଥର ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରଣାଳୀରେ ତଥ୍ୟ ସଂଗ୍ରହ କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଓ ୱେବ୍ ପୋର୍ଟାଲ୍ ବ୍ୟବହାର କରାଯିବା ସହ ୨୦୧୧ ଜନଗଣନା ତଥ୍ୟ ସହ ସ୍ୱୟଂଚାଳିତ ତୁଳନା ଓ ତ୍ରୁଟି ଚିହ୍ନଟର ସୁବିଧା ରହିଛି। ରାଜସ୍ୱ ବିଭାଗର ଅଧିକାରୀମାନେ ଚାର୍ଜ ଅଫିସରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚାର୍ଜ ଅଫିସରମାନେ କ୍ଷେତ୍ରସ୍ତରୀୟ ରାଜସ୍ବ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍‌ର ପ୍ରଥମ ଭାଗରେ ଗ୍ରାମ ନିର୍ଦ୍ଦେଶିକା ଓ ସହର ନିର୍ଦ୍ଦେଶିକା ରହିବ, ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ଯୋଗାଯୋଗ, ପରିବହନ, ବ୍ୟାଙ୍କିଂ, ବିଦ୍ୟୁତ୍, ଜମି ବ୍ୟବହାର, କୃଷି, ନାଗରିକ ସୁବିଧା, ଶିଳ୍ପ ଓ ବାଣିଜ୍ୟ ସମ୍ବନ୍ଧୀୟ ବିସ୍ତୃତ ସୂଚନା ସ୍ଥାନ ପାଇବ। ଏହାର ଦ୍ୱିତୀୟ ଭାଗରେ ପ୍ରାଥମିକ ଜନଗଣନା ସାରାଂଶ ପ୍ରକାଶ ପାଇବ। ଏହି ନିର୍ଭୁଲ ତଥ୍ୟ ଭବିଷ୍ୟତରେ ଜିଲ୍ଲାର ମୌଳିକ ସୁବିଧାର ସୁଚାରୁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ରୂପାୟନରେ ସହାୟକ ହେବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ