ସହାୟିକାଙ୍କୁ ସ୍କୁଲରେ ପୁରାଇ ଦେଉ ନାହିଁ ସ୍କୁଲ ପରିଚାଳନା କମିଟି
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କୁରାଢିଘଷା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ସ୍କୁଲ ଭିତରକୁ ପୁରାଇ ଦେଉ ନାହାନ୍ତି ସ୍କୁଲ କମିଟି ର ସଦସ୍ୟ ମାନେ। ଅଭିଯୋଗ ଅନୁଯାଇ ଗ୍ରାମର ଭାନୁମତୀ ବେହେରା ଏହି ସ୍କୁଲରେ ଗତ ତିନି ବର୍ଷ ଧରି ସହାୟିକା ଭାବେ କାର୍ଯ୍ଯ କରୁଥିଲେ। କିନ୍ତୁ ତାଙ୍କ ଝିଅ ଭିନ୍ନ ଜାତିରେ ବାହା ହେବାରୁ କିଛି କମିଟି ସଦସ୍ୟ ଏହାକୁ ବିରୋଧ କରିଥିଲେ। ଗତ ଜୁନ୍ ମାସରେ ସ୍କୁଲ ଖୋଲିବା ପରେ ସେ ସ୍କୁଲକୁ ଯିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ରୋଷେଇ କାର୍ଯ୍ୟରେ ସହଯୋଗ କରିବାକୁ ବାରଣ କରିଥିଲେ। ଚେୟାରମେନ ମନା କରିଛନ୍ତି ବୋଲି କହି ତାଙ୍କୁ କାମ କରାଇ ଦେଲେନି। ଏନେଇ ସେ ସୋ ସୋ ଥାନା, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ ବି କେହି ତାଙ୍କୁ ସହାୟ ହେଉ ନଥିବା ସେ ଅଭିଯୋଗ କରିଛନ୍ତି। ଏପରିକି କମିଟି ସଦସ୍ୟ ମାନେ ତାଙ୍କ ନମରେ ଜାତିଆଣ ଅଭିଯୋଗ ନ ଆଣି ଅନେକ ମିଥ୍ୟା ଅଭିଯୋଗ ମାନ କରିଛନ୍ତି। ଯାହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟରେ ବୈଠକ ଡାକି ସମାଧାନ ପାଇଁ ଉଦ୍ୟମ କରିଥିଲେ ବି ସୁଫଳ ମିଳି ନଥିବା ଭାନୁମତୀ କହିଛନ୍ତି। ମୁଁ ଜଣେ ବିଧବା ଅସହାୟ ମହିଳା ହୋଇଥିବାରୁ ମୋତେ ମିଛରେ ଫସାଇ ବିଭିନ୍ନ ଅପବାଦ ଦେଇ ବାହାର କରିବାକୁ ଯୋଜନା କରିଛନ୍ତି ବୋଲି କହିଛନ୍ତି। ଏନେଇ ସେ ପାଚିକା ସହାୟିକା ସଂଘକୁ ମଧ୍ଯ ଜଣାଇଛନ୍ତି। ଯଦି କୌଣସି ପଦକ୍ଷେପ ନିଆ ନଯାଏ ତେବେ ସ୍କୁଲ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସ୍କୁଲ ପରିଚାଳନା କମିଟି ନିଯୁକ୍ତି ଦେଇଛି, ସେମାନେ ରଖିବେ କି ବାହାର କରିବେ ତାହା କମିଟି ଉପରେ ନିର୍ଭର କରେ। ତେଣୁ ସେଥିରେ ଆମର କିଛି ଭୂମିକା ନାହିଁ ବୋଲି କହିଛନ୍ତି।


