ଲଗାଣ ବର୍ଷା ଯୋଗୁଁ ସାହି ବସ୍ତିରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାରେ ଗତ ୫ଦିନ ଧରି ଲଗାଣ ବର୍ଷା ଯୋଗୁ ବିଭିନ୍ନ ସାହିବସ୍ତିରେ ଡ୍ରେନ ପାଣି ବିଭିନ୍ନ ସାହି ବସ୍ତିରେ ଲହଡ଼ି ମାରୁଥିବା ସହ ଜନଜୀବନ ଏକରକମ ଠପ୍ ହୋଇଯାଇଥିବା ଦେଖାଯାଇଥିଲା। ଲଗାଣ ବର୍ଷା କାରଣରୁ ବିଶେଷତଃ ତଳିଆ ଅଞ୍ଚଳରେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ବିଷମ ପରିସ୍ଥିତି ଉପୁଜିଛି। ବଗିଚା ସାହି, ଇନ୍ଦିରା ପଡ଼ା,ଟିକର ପଡ଼ା,ଗଣେଶ ନଗର, ଗୋବର୍ଦ୍ଧନ ଛକ ପଛପଟ,ଗଙ୍ଗାଯମୁନା ମନ୍ଦିର ରାସ୍ତା,ନୂଆସାହି,ଧୋବାସାହି ଅଞ୍ଚଳରେ ଡ୍ରେନେଜ୍ ସମସ୍ୟା କାରଣରୁ ରାସ୍ତାରେ ନର୍ଦ୍ଦମା ପାଣି ସୁଅ କାଟୁଥିବା ବେଳେ ଶୁଣ୍ଢି ସାହିରେ ଡ୍ରେନେଜ୍ ବ୍ୟବସ୍ଥା ଆଦୌ ନଥିବାରୁ ସହରର ସମସ୍ତ ପାଣି ସାହିରେ ଜମାହୋଇ କୁତ୍ରିମ ବନ୍ୟା ସ୍ଥିତି ଉପୁଜିଛି। ରାସ୍ତାରେ ପାଣି ଜମି ରହିଥିବା ବେଳେ ସ୍କୁଲ କଲେଜ ପିଲା ସେହି ପାଣିରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ସେହି ରାସ୍ତାରେ ଯାଉଥିବା ଗାଡି ମୋଟରରେ ପାଣି ପଶିଯାଇଥିବା କାରଣରୁ ଷ୍ଟାର୍ଟ ବନ୍ଦ ହୋଇଯାଉଥିବ ବେଳେ ବିକଳ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।ରାସ୍ତା ନିକଟସ୍ଥ ଘର ମାନଙ୍କରେ ପାଣି ସିଙ୍କ ହୋଇ ଚଟାଣ ଓ କାନ୍ଥରୁ ପାଣି ଝରୁଥିବା କିଛି ଲୋକେ କହିଛନ୍ତି। ବାରମ୍ବାର ଅଭିଯୋଗ ପରେବି ଦୀର୍ଘ ଦିନର ଡ୍ରେନିଜ ସମସ୍ୟା ସୁଧୁରୁନାହିଁ କି ଏ ଅସୁବିଧା ସମୟରେ ପ୍ରଶାସନ ତରଫରୁ କୌଣସି ପ୍ରତିକାରାତ୍ମକ୍ ବ୍ୟବସ୍ଥା କରାଯାଉ ନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସେହିପରି ମୁନିଗୁଡ଼ା ଫିଲ୍ମ ହଲ୍ ରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ି ମାରିବା ସହ ଗଣେଶ ନଗର ଉପର ଓ ତଳ ସାହିର ବିଭିନ୍ନ ଲୋକଙ୍କ ଘରେ ପାଣି ପଶି ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ଏହି ରାସ୍ତା କୁମୂଡାବାଲି ଅଞ୍ଚଳରୁ ପାଞ୍ଚ ବର୍ଷ ହେବ ନିର୍ମାଣ ହେଉଥିଲେ ମଧ୍ୟ ଏହା ମୁନିଗୁଡା ଫିଲ ହଲ ରାସ୍ତାକୁ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଦୁଇ କିଲୋମିଟର ରାସ୍ତାକୁ ପାଞ୍ଚ ବର୍ଷରେ ଶେଷ ନକରିବା ବିଭାଗୀୟ ଅପାରଗତାକୁ ସ୍ପଷ୍ଟ କରୁଥିବା ବେଳେ ପାଞ୍ଚବର୍ଷ ହେବ ଫିଲ୍ମ ହଲ ଅଞ୍ଚଳ ବାସି ଦୁର୍ଦ୍ଦଶା ମଧ୍ୟରେ ଜୀବନ କାଟୁଛନ୍ତି। ଏଥି ସହିତ ବିଭିନ୍ନ ସାହି ବସ୍ତିରେ ନର୍ଦ୍ଦମା ପାଣି ପଶି ଦୂଷିତ ପରିବେଶ ସୃଷ୍ଟି କରିଥିବା ଓ ପାନୀୟ ଜଳ ଖରାପ କରିଥିବା କାରଣରୁ ଜନ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ପାଇକସାହିସ୍ଥିତ ଗଙ୍ଗା ଯମୁନା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ସେହି ଅବସ୍ଥାରେ ରହିଛି। ସକାଳୁ ପାଇଲେ ଭକ୍ତ ମାନେ ମନ୍ଦିରକୁ ଯିବା ସମୟରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ରାସ୍ତାରେ ଜମି ରହୁଛି ଯାହାଦ୍ୱାରା ରାସ୍ତାରେ ଗର୍ତ୍ତ ମାନ ସୃଷ୍ଟି ହେବା ସହ ଜନ ସାଧାରଣ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ଏହି ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମୁନିଗୁଡ଼ା ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନ ତୁରନ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରାଇବାକୁ ସାଧାରଣରେ ଦାବି ହେଉଛି।


