ଇତିହାସରେ ଡକ୍ଟରେଟ ହାସଲ କଲେ ଭଦ୍ରକ ଜିଲାପାଳ
ଭଦ୍ରକ,(ଚାନ୍ଦିନୀ ମହାନ୍ତି) : ପ୍ରଶାସନିକ ଦାୟୀତ୍ୱ ଭିଡ ମଧ୍ୟରେ ଜ୍ଞାନର ସାଧନା କେବେ ଥମେ ନାହିଁ । ଏହାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏ । ନିଜର କଠିନ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଇତିହାସ ବିଷୟରେ ପିଏଚଡି ଡିଗ୍ରୀ ହାସଲ କରି ଏକ ପ୍ରେରଣା ଦାୟକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ସାଧାରଣତଃ ଜିଲାପାଳଙ୍କ ଦୈନନ୍ଦିନ କାର୍ଯ୍ୟଭାର ଅତ୍ୟନ୍ତ ଚାପପୂର୍ଣ୍ଣ ଥାଏ । ଲୋକସେବା, ବିକାଶ ମୂଳକ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନିକ ସମନ୍ୱୟରେ ବ୍ୟସ୍ତ ରହିବା ସତ୍ତ୍ୱେ ଜିଲାପାଳ ନିଜ ଶିକ୍ଷାଗତ ଲକ୍ଷ୍ୟକୁ ଅବହେଳା କରିନଥିଲେ । ଅନବରତ ପରିଶ୍ରମ, ଅଧ୍ୟବସାୟ ଓ ଗବେଷଣା ପ୍ରତି ଆଗ୍ରହ ତାଙ୍କୁ ଏହି ସଫଳତାର ଶୀର୍ଷରେ ପହଞ୍ଚାଇଛି । ଓଡିଶାର ହୋଟେଲ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ମାନସିକ ଚାପ, କାର୍ଯ୍ୟ ସନ୍ତୁଷ୍ଟି ଓ ସଂସ୍ଥା ପ୍ରତି ନିଷ୍ଠାକୁ ନେଇ ସେ କରିଥିବା ଗବେଷଣା ଶିକ୍ଷା ଜଗତରେ ଗୁରୁତ୍ୱ ପାଇଛି । ଜିଲାପାଳ ଭାବେ ଲୋକସେବା ଓ ଗବେଷକ ଭାବେ ଜ୍ଞାନର ସନ୍ଧାନ ଏହି ଦୁଇଟି ଭୂମିକାକୁ ସଫଳତାର ସହ ପାଳନ କରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ତାଙ୍କର ଏହି ସଫଳତା ଯୁବପିଢୀଙ୍କୁ ଏକ ସନ୍ଦେଶ ଦେଇଛି ।


