ଶ୍ରୀ ଜୟଦେବ ଜୟନ୍ତୀ

ବାଲେଶ୍ୱର,(ସରୋଜ ପଣ୍ଡା): ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂର୍ବାହ୍ନ ୦୯.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ, ବାଲେଶ୍ଵରଠାରେ ଗୀତଗୋବିନ୍ଦ ରଚୟିତା କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଡେପୁଟି କଲେକ୍ଟର ଶ୍ରୀ ସିତାଂଶୁ ଶେଖର ଦାସ, ଶ୍ରୀମତୀ ଅସ୍ମିତା ଦାଶ, ଶ୍ରୀ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଜିଲ୍ଲା କ୍ରୀଡ଼। ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ତତ ଉପରାନ୍ତ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ଅତିଥିମାନେ ଭକ୍ତକବି ଶ୍ରୀ ଜୟଦେବଙ୍କୁ ଜଣେ ମହାନ କବି ଭାବେ ବର୍ଣ୍ଣନା କରି ତାଙ୍କ ରଚିତ ଅମରକୃତି ଗୀତଗୋବିନ୍ଦ ସମଗ୍ର ବିଶ୍ଵ କାବ୍ୟ ସାହିତ୍ୟରେ ଯୁଗ ଯୁଗ ଧରି କାଳଜୟୀ ହୋଇ ରହିବ ଏବଂ ଶ୍ରୀ ଜୟଦେବ ଆମ ଓଡ଼ିଶାର ଗର୍ବ ଓ ଗୌରବ ଏବଂ ତାଙ୍କ କାଳଜୟୀ ରଚନା ଆମ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଥିବା ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାବ୍ୟଶିଳ୍ପୀ ଶ୍ରୀ ସର୍ବେଶ୍ଵର ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ  ଗୀତଗୋବିନ୍ଦର କାନ୍ତ କମନୀୟ ପଦ୍ୟମୟ ଶୈଳୀ ଶ୍ରୋତା ଓ ପାଠକ ମାନଙ୍କୁ ବିଭୋର କରିଦିଏ ବୋଲି ଉଲ୍ଲେଖ କରିଥିଲେ । କବି ଶ୍ରୀ ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଜୟଦେବ ନିଜର କୃତି ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅନାବିଳ ଅନନ୍ତ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ଵୟ ସୃଷ୍ଟି କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିଦେଇଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବଙ୍କ କୃତି ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କଳାକାରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼। ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ  ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ