କଟକରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
କଟକ (ଓ୍ବାଇଏନଏସ): ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପୂଜାପାଠ କରିବା ପରେ ଅଖିମୁଠି ଅନୁକୂଳ କରିଛନ୍ତି । ଏହାସହ ଆଜି ରାଜ୍ୟର ପ୍ରାୟ ୪୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୮୩୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ସେପଟେ ପ୍ରାୟ ୧୯ ବର୍ଷ ପରେ ବଡମ୍ବା ଚିନିକଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଅନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମି ପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ କୃଷକ ଭାଇ ଓ ଭଉଣୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୬ ଖରିଫ ଋତୁ ପାଇଁ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ କୃଷକଙ୍କୁ ସିଏମ-କିଷାନ ଯୋଜନାରେ ପ୍ରାୟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଯେ ଏହି ଚାଷୀମାନଙ୍କ ମଧ୍ୟରୁ ୪୧,୨୪,୨୪୧ ଜଣ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୪୧,୦୪୯ ଜଣ ହେଉଛନ୍ତି ଭୂମି ହୀନ କୃଷକ ପରିବାରର ଚାଷୀ ଏବଂ ୩,୨୯୨ ଜଣ ହେଉଛନ୍ତି ଜନଜାତି କୃଷକ ପରିବାରର ଚାଷୀ। ନୂଆ ସରକାର କ୍ଷମତାକୁ ଆସିବା ପରେ କେବଳ ୨୨ ମାସ ମଧ୍ୟରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ। ଚଳିତ ବର୍ଷ ରାଜ୍ୟରେ ୧୫୦ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସେ ଏହି ସଫଳତା ପାଇଁ ରାଜ୍ୟର ପ୍ରତ୍ୟେକ କୃଷକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଚାଷୀଙ୍କ ପରିଶ୍ରମର ଯଥୋଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୨୫-୨୬ ଖରିଫ ଋତୁରେ ୧୮ ଲକ୍ଷ ୫୫ ହଜାର ୬୬୧ ଜଣ ଚାଷୀଙ୍କ ଠାରୁ ୭୬.୪୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏଥିପାଇଁ ୫,୫୮୯ କୋଟି ୯୮ ଲକ୍ଷ ଟଙ୍କା ଇନ୍ପୁଟ ସହାୟତା ଦିଆଯାଇଛି। କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ କୃଷକ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ସହାୟତା ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ୬୮ ହଜାର ୯୧୦ ଜଣ ଛାତ୍ରଛାତ୍ରୀଙ୍କୁ ୨୯୧ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସହାୟତା ମିଳିଛି। ରାଜ୍ୟ ସରକାର “ବଳଭଦ୍ର ଜୈବିକ ଚାଷ ମିଶନ” ମାଧ୍ୟମରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ଓଡ଼ିଶାର ପାରମ୍ପରିକ ମାଣ୍ଡିଆକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ ଶ୍ରୀ ଅନ୍ନ ଅଭିଯାନକୁ ଆହୁରି ଜୋରଦାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ପି.ଏମ ଧନ-ଧାନ୍ୟ କୃଷି ଯୋଜନା’ରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଭଳି ଚାରିଟି ଆଦିବାସୀ ଜିଲ୍ଲା ସ୍ଥାନ ପାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ଓ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଆମର କୃଷକ ସମାଜ। ଆପଣମାନଙ୍କ ପରିଶ୍ରମରେ ଆମ ମାଟି ସୁଜଳା ସୁଫଳା ହୋଇଥାଏ। କଟକର ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁରର ମାନ୍ୟବର ସାଂସଦ ବିଭୁପ୍ରସାଦ ତରାଇ , ନିଆଳିର ବିଧାୟକ ଛବି ମଲ୍ଲିକ, ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିରଦୌସ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏବଂ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକର ନିର୍ଦ୍ଦେଶକ ଡଃ ଜିଏକେ କୁମାରଙ୍କ ପ୍ରମୁଖ ମଂଚାସୀନ ଥିଲେ।


