ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର)-୨୦୨୬ ଆରମ୍ଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଜିଠାରୁ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)–୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ, ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡ ପରିଦର୍ଶନ କରି ଏସଆଇଆର–୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ। ସେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିବା ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ତା. ୩୦ ମଇରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିଏଲଓମାନେ ଘରକୁ ଘର ଯାଇ ପରିଗଣନା ଫର୍ମ (ଇନୁମରେସନ ଫର୍ମ) ବଣ୍ଟନ ଓ ସଂଗ୍ରହ କରିବେ। ଏହି ପ୍ରକ୍ରିୟାରେ ନିର୍ବାଚକମାନଙ୍କ ନାମ, ଠିକଣା, ବୟସ, ଯୋଗ୍ୟତା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସୂଚନାର ସତ୍ୟାପନ କରାଯିବ। ବିଏଲଓଙମାନେ ନାଗରିକମାନଙ୍କୁ ପରିଗଣନା ଫର୍ମ ପୂରଣରେ ସହାୟତା କରିବା ସହ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରି ସ୍ୱୀକୃତି ପତ୍ର ପ୍ରଦାନ କରିବେ। ଭୋଟର ତାଲିକାରେ ନାମ ଥିବା ସମସ୍ତ ମତଦାତାଙ୍କୁ ଆବଶ୍ୟକ ସୂଚନା ଓ ଦସ୍ତାବିଜ ପ୍ରଦାନ କରି ବିଏଲଓ ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସେହିପରି ଯୋଗ୍ୟ ହୋଇଥିଲେ ମଧ୍ୟ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇନାହିଁ ସେମାନେ ଏହି ଅଭିଯାନ ସମୟରେ ନାମ ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ। ଏସଆଇଆର–୨୦୨୬ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଜୁଲାଇ ୫ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିଗୁଡ଼ିକର ନିଷ୍ପତ୍ତିି ସେପ୍େଟମ୍ବର ୨ ସୁଦ୍ଧା ସମ୍ପନ୍ନ ହେବ। ସେପ୍େଟମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା, ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ବ୍ୟକ୍ତି ଓ ଡୁପ୍ଲିକେଟ ନାମଗୁଡ଼ିକୁ ଚିହ୍ନଟ କରି ତାଲିକାରୁ ବିଲୋପ କରିବା। ଏକ ସଠିକ ଓ ବିଶ୍ୱାସନୀୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଏହି ଅଭିଯାନରେ ସକ୍ରିୟ ସହଯୋଗ କରିବା ସହ ବିଏଲଓ ମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଛନ୍ତି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, କେନ୍ଦ୍ରାପଡ଼ା ପୈାର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ