ଏକକ ବ୍ୟବହୃତ ପ୍ଲାଷ୍ଟିକ ଯାଞ୍ଚରେ ଅସହଯୋଗ ପାଇଁ ଚା’ ଦୋକାନ ସିଲ୍
ନୂଆପଡା, (ଲିଲାମ୍ବର ନାଗ): ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧରେ ଅଭିଯାନ କଡ଼ାକଡ଼ି ଭାବେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ୱଚ୍ଛତା ଟିମ୍ ପକ୍ଷରୁ ଖରିଆର ରୋଡ଼ ଅଞ୍ଚଳରେ ନିୟମିତ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ଖରିଆର ରୋଡ଼ ରେଳ ଷ୍ଟେସନ ନିକଟସ୍ଥ “ଗୁପ୍ତା ଟି ଷ୍ଟଲ” ପକ୍ଷରୁ ଯାଞ୍ଚ କାର୍ଯ୍ୟରେ ଅସହଯୋଗ କରାଯାଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ତଥା ଏସଡିଏମ୍, ନୂଆପଡା ସୁର୍ମି ସୋରେନଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଦୋକାନକୁ ସିଲ୍ କରାଯାଇଛି। ଏହି ଅଭିଯାନରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସେନ ରଥ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର, ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା, ପୁଲିସ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକ ଏବଂ ବ୍ୟବସାୟୀମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାରରୁ ବିରତ ରହିବା ସହ ସ୍ୱଚ୍ଛତା ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।


