ପଟ୍ଟାରୁ ଅଂଶୀଦାରଙ୍କ ନାଁ ବାଦଦେବା ଅଭିଯୋଗକୁ ଅସ୍ବୀକାର କଲେ ତହସିଲ କର୍ତ୍ତୃପକ୍ଷ
ହାଟଡିହି ,(ଓ୍ବାଇଏନଏସ): ପୈତୃକ ସମ୍ପତ୍ତି ରୁ ଭାଗ ନଦେବାପାଇଁ ଷଡଯନ୍ତ୍ର କରି ଅଂଶୀଦାରଙ୍କ ମୃତ୍ୟୁ ପରେ ପଟ୍ଟାରୁ ଉତ୍ତରାଧିକାରୀମାନଙ୍କ ନାମକୁ ବାଦ ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲା ହାଟଡିହିର ତତ୍କାଳୀନ ଭାରପ୍ରାପ୍ତ ତହସିଲଦାର ମନୋଜ କୁମାର କେରକେଟା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଅଭିଯୋଗ ଅନୁଯାଇ ଉକ୍ତ ତହସିଲ ଅଧିନ ଭାତକରୁଆ ଗ୍ରାମର ସ୍ବର୍ଗତ ଅପର୍ତ୍ତି ଜେନା, ସ୍ବର୍ଗତ ହୃଷି ଜେନା, ସ୍ବର୍ଗତ ଏକାଦଶୀ ଜେନାଙ୍କ ନାମରେ ବଞ୍ଚୋ ମୋୖଜାରେ ଖାତା ନଂ-୪୬, ପ୍ଲଟ ନଂ-୪୦୨୦ ରେ ୩୪ ଡେସିମିଲ ଜମି ଥିଲା | ସେମାନଙ୍କ ମୃତ୍ୟୁ ପରେ ଉକ୍ତ ଜମି ଆଇନ ଅନୁଯାଇ ଉତ୍ତରାଧିକାରୀଙ୍କ ନାମକୁ ପରିବର୍ତ୍ତନ ହେବା କଥା | କିନ୍ତୁ, ଜମିର ସମସ୍ତ ଅଂଶୀଦାରଙ୍କ ଉତ୍ତରାଧିକାରୀଙ୍କ ନାଁ ବଦଳରେ ସଂଶୋଧିତ ପଟ୍ଟାରେ କେବଳ ସ୍ୱର୍ଗତ ହୃଷି ଜେନାଙ୍କ ବଡ଼ ପୁଅ ଲକ୍ଷ୍ମୀଧରଙ୍କ ନାଁ ଉଲ୍ଲେଖ ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି | ଅନ୍ୟ ଅଂଶୀଦାର ତଥା ସ୍ବର୍ଗତ ଏକାଦଶୀ ଜେନାଙ୍କ ପୁଅ କାମ୍ପାଳ ଜେନା ଏହି ଘଟଣାରେ ହାଟଡିହି ତହସିଲର ତତ୍କାଳୀନ ତହସିଲଦାର ମନୋଜ କୁମାର କେରକେଟା, କିରାଣୀ ବସନ୍ତ କୁମାର ରାଉତ, ରେକର୍ଡ କିପର ମାନସ ପାଢ଼ୀ, ବଂଚୋ ରାଜସ୍ବ ନିରୀକ୍ଷକ ଦିପ୍ତିମୟୀ ସାହୁଙ୍କ ସମ୍ପୃକି ଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। କିନ୍ତୁ ତହସିଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାଇ ଯେଉଁ ପଟ୍ଟା ଦିଆଯାଇଛି ତାହା ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ବଳରେ ହୋଇଛି। ଏଥିପାଇଁ ଦୁଇ ଦୁଇ ଥର ନୋଟିସ ଜାରି ହେବା ସହ ଉକ୍ତ ଗ୍ରାମରେ ମଧ୍ୟ ନୋଟିସ ଲଟକା ଯାଇଥିଲା। ୨୦ରୁ ଉର୍ଦ୍ଧ ଗ୍ରାମବାସୀ ମଧ୍ୟ ସେହି ନୋଟିସ ରେ ଦାସ୍ତଖତ କରିଥିଲେ। କିନ୍ତୁ ସେତେବେଳେ କେହି ଅଭିଯୋଗ କଲେନି। ଅନ୍ୟ ପକ୍ଷରେ ପଟ୍ଟାଧାରୀ ଲକ୍ଷ୍ମୀଧର ଜେନା କହିଛନ୍ତି ଯେ ଖାତା ନଂ -୪୬ରେ ତିନୋଟି ପ୍ଲଟ ଥିବାବେଳେ ତିନିଜଣ ସତ୍ୱାଧିକାରୀଙ୍କ ମଧ୍ୟରୁ ଦୁଇଜଣ ଦୁଇଟି ପ୍ଲଟ ବିକ୍ରୀ କରିଦେଇ ଥିଲେ। ଏ ଜମିଟି ତାଙ୍କ ଭାଗରେ ପଡିଥିବାରୁ ସେ ଦୀର୍ଘ ବର୍ଷ ଧରି ଦଖଲରେ ଅଛନ୍ତି। ତେଣୁ ନିଜ ନାମରେ ଜମିର ପଟ୍ଟା ପାଇବାକୁ ସେ ହାଇକୋର୍ଟରେ ଆଶ୍ରୟ ନେବାପରେ ମାନ୍ୟବର କୋର୍ଟଙ୍କ ନିର୍ଦେଶ ବଳରେ ତହସିଲ ପକ୍ଷରୁ ମୋତେ ପଟ୍ଟା ଦିଆଯାଇଛି ବୋଲି କହିଛନ୍ତି।


