ସାଂସଦଙ୍କ ଦ୍ୱାରା ଚତୁର୍ଥ ନାଉଗାଁ ଫେଷ୍ଟିଭାଲ-୨୦୨୬ ଉଦ୍ଘାଟିତ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇଙ୍କ ଦ୍ୱାରା ବୁଧବାର ସଂଧ୍ୟାରେ ଚତୁର୍ଥ ନାଉଗାଁ ଫେଷ୍ଟିଭାଲ-୨୦୨୬ ଉଦ୍ଘାଟିତ ହୋଇଯାଇଛି। ଏହି ଫେଷ୍ଟିଭାଲ ଦ୍ୱାରା ଆମେ ଆମ ଅଂଚଳର ଭାଇଚାରକୁ ସୁଦୃଢ କରିବା ବୋଲି ସାଂସଦ ମତବ୍ୟକ୍ତ କରିଥିଲେ। ନାଉଗାଁ ଫେଷ୍ଟିଭାଲ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ପରିଷଦର ସଭାପତି ଡଃ. ଚୌଧୁରୀ ସତ୍ୟ ଦାସ ସଭାପତିତ୍ୱ କରିଥିବା ବେଳେ ପରିଷଦର ସଂପାଦକ ଧନଞ୍ଜୟ ପରିଜା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଡଃ ତରାଇ, ମୁଖ୍ୟବକ୍ତା ଭାବେ ଗ୍ଳୋବାଲ ଇଣ୍ଡିଆନ ମଡେଲ ସ୍କୁଲର ଅଧ୍ୟକ୍ଷା ଡଃ. ମଞ୍ଜୁଶ୍ରୀ ଶାସ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଶାରଳା ସାହିତ୍ୟ ସଂସଦର ସଭାପତି ଇଂ. ପ୍ରଭାକର ସ୍ୱାଇଁ ପ୍ରମୁଖ ଆଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଡଃ ସଂଗ୍ରାମ କେଶରୀ ସାମାନ୍ତରାୟଙ୍କୁ ପରିଷଦ ପକ୍ଷରୁ ନାଉଗାଁ ଫେଷ୍ଟିଭାଲ ସମ୍ମାନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ତ୍ରିନାଥ ପରିଜା,ସୁକାନ୍ତ କୁମାର ଲେଙ୍କା, ଦେବଜ୍ୟୋତି ମହାନ୍ତି, ମନୋଜ ନାୟକ, ଅଭିମନ୍ୟୁ ସାହୁ, ସରୋଜ ଲେଙ୍କା,ବିବେକାନନ୍ଦ ପରିଜା ଆଦି ଉପସ୍ଥିତ ଥିଲେ। ୫ଦିନ ବ୍ୟାପୀ ହେବାକୁ ଥିବା ଏହି ଫେଷ୍ଟିଭାଲରେ ପ୍ରତ୍ୟେହ ସଂଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କାଳକାରମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ପରିଷଦର ସଭାପତି ଦା ସୂଚନା ପ୍ରଦାନ କରିଛନ୍ତି।


