ଆରମ୍ଭ ହେଲା ଜନଗଣନା କାର୍ଯ୍ୟ
ଆସିକା (ୱାଇଏନ୍ଏସ୍) : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପରାମର୍ଶକ୍ରମେ ଗୁରବାର ଠାରୁ ଆସିକା ଅଞ୍ଚଳରେ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଜନଗଣନା କାର୍ଯ୍ୟକ୍ରମର ଚାର୍ଜ ଅଫିସର ତଥା ଆସିକା ତହସିଲଦାର ସଙ୍ଗୀତା ସେଣ ଏବଂ ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଅମରେଶ ସାବତଙ୍କ ସମେତ ମାଷ୍ଟର ଟ୍ରେନର୍ ଶିବଶଙ୍କର ଜେନା ଓ ରାମନାଥ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଆଜିଠାରୁ ଆରମ୍ଭ ହୋଇଥିବା ସହରର ଗଳିକନ୍ଦିର ଘରକୁ ଘର ବୁଲି ଏହି ଜନଗଣନା କାର୍ଯ୍ୟ ଆସନ୍ତା ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସଠିକ୍ ତଥା ନିର୍ଭୁଲ ଭାବେ ପରିଚାଳନା କରିବା ପାଇଁ ଆସିକା ପୌର ପରିଷଦ ଏବଂ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ୨୯୮ ଜଣ ଜନଗଣନାକାରୀ (ଏନୁମରେଟର୍) ଏବଂ ୪୭ ଜଣ ସୁପରଭାଇଜର୍ ନିୟୋଜିତ ଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ନିୟୋଜିତ ଥିବା ଜନଗଣନାକାରୀ ଓ ସୁପରଭାଇଜରମାନେ ପ୍ରଥମ ପର୍ଯ୍ୟାୟରେ ଘର ଗଣତି ସହ ନମ୍ବରିଂ ଏବଂ ଘରର ମୁଖ୍ୟଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏହା ସହ ଘରର ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ ପଚାରୁଥିବା ମଧ୍ୟ ପରିଲକ୍ଷିତ ହେଉଛି । ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଜନଗଣନା କାର୍ଯ୍ୟକ୍ରମ ୧୫ ତାରିଖରେ ଶେଷ ହୋଇଥିଲା । ଆଜିଠାରୁ ଘରକୁ ଘର ବୁଲି ଗଣନାକାରୀ ଓ ସୁପରଭାଇଜରମାନେ ପ୍ରଚଣ୍ଡ ଖରାକୁ ଖାତିର୍ ନକରି ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଜନଗଣନାକାରୀମାନେ ନିଜ ମୋବାଇଲରେ ଏଚ୍ଏଲ୍ଭି ଆପ୍ ଡାଉନ୍ଲୋଡ୍ କରିଥିବା ବେଳେ ସେହି ଆପ୍ ମାଧ୍ୟମରେ ସମସ୍ତ ତଥ୍ୟ ଅପଲୋଡ୍ କରୁଥିବା ଦେଖିବାକୁ ମିଳୁଛି । ୨୦୧୧ ମସିହା ପରେ ଦୀର୍ଘ ବର୍ଷର ବ୍ୟବଧାନରେ ଜଣଗଣନା କରାଯାଉଥିବାରୁ ସମସ୍ତ ନାଗରିକ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି ।


