ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ଟାଣିଲେ କୁନିରଥ
ଆସିକା (ୱାଇଏନ୍ଏସ୍) : ପବିତ୍ର ରଥଯାତ୍ରା ପାଇଁ ଗୁରବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇଉଠିଥିଲା । ଆଧ୍ୟାତ୍ମିକପ୍ରେମୀ ଭକ୍ତମାନେ ବିଭିନ୍ନ ସ୍ଥାନରେ ରଥାରୁଢ ବ୍ରହ୍ମାଣ୍ଡକର୍ତ୍ତାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରୁଥିବା ବେଳେ ଅଧିକାଂଶ ଶ୍ରଦ୍ଧାଳୁଙ୍କ ମନକୁ ବିମୋହିତ କରିପକାଇଥିଲା କୋମଳମତି ଶିଶୁମାନଙ୍କ କୁନି ରଥଟଣା । ଆସିକା ସହରର କେତେକ ସାହିବସ୍ତିର ଶିଶୁଭକ୍ତମାନେ ଅତି ସୁନ୍ଦର କୁନିରଥ ତିଆରି କରି ଜଗତକର୍ତ୍ତା କାଳିଆ ଠାକୁର, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ବିଗ୍ରହକୁ ବିରାଜିତ କରାଇ ଜୟ ଜଗନ୍ନାଥ ଧ୍ୱନୀ ଦେଇ ସାହିବସ୍ତି ପରିକ୍ରମା କରିଥିବା ବେଳେ କୁନିଶିଶୁ ଭକ୍ତମାନଙ୍କ ଏଭଳି ନିଆରା ରଥଟଣା ଆସିକା ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତମାନେ ବେଶ୍ ଉତ୍ସାହର ସହ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ କରି ଜୟ ଜଗନ୍ନାଥ ଧ୍ୱନୀ ଦେଇ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ବିଶ୍ୱନିୟନ୍ତାଙ୍କ କୁନିରଥଟଣାରେ ଆସିକା ସହର ତଥା ଆଖପାଖ ସାହିବସ୍ତିର ବହୁ ଆଧ୍ୟାତ୍ମିକପ୍ରେମୀ ଶିଶୁ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଭାବର ଠାକୁର ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଯିଏ ଯେମିତି ଭାବରେ ଡାକେ ଦାରୁବ୍ରହ୍ମ ସେମିତି ତାକୁ ନିଜର କରିଥାନ୍ତି । ନିରାକାର, ନିର୍ବିକାର ଓ ପରମବ୍ରହ୍ମ ବିଶ୍ୱନିୟନ୍ତା ଠାକୁର ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ କୁନିଆ ଆଧ୍ୟାତ୍ମିକପ୍ରେମୀମାନେ ଭକ୍ତିରେ ଭିଜି ରଥ ଟାଣିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳରେ ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତମାନଙ୍କ ଏହା ଜଗତକର୍ତ୍ତା ଶ୍ରୀଜଗନ୍ନାଥଙ୍କୁ ଭଲ ପାଇବାର ଅପୂର୍ବ ଓ ଅବର୍ଣ୍ଣନୀୟ ନିଦର୍ଶନ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଥିଲା ।


