ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ସହର

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଚଳ ଚଂଚଳ ହୋଇ ପଡିଛି ସାରା ସହର । ସହରର ସମସ୍ତ ପ୍ରବେଶ ପଥକୁ ଆଲୋକ ତୋରଣରେ ସୁସଜ୍ଜିତ କରାଯାଇଥିବା ବେଳେ ମୁଖ୍ୟ ବଜାରର ବିଭିନ୍ନ ସ୍ଥାନରେ କଳାକୁଞ୍ଜ ମାନ ନିର୍ମାଣ କରାଯାଇଛି । ଗତ  ୪ ତାରିଖରୁ ମାଙ୍କ ଆଜ୍ଞା ମାଳ ଆସିବା ପରେ ଯାତ୍ରା କମିଟିର ମ୍ୟାନେଜର ସି. ଏଚ. ଦୟାନନ୍ଦ ରେଡ୍ଡୀ ଓ ଆସିଷ୍ଟାଣ୍ଡ ମ୍ୟାନଜର ଏମ. ସମରେନ୍ଦ୍ର ସେନାପତି ଙ୍କ ସମେତ ଯାତ୍ରା କମିଟିର ବହୁ ସଦସ୍ୟ ଓ ଶ୍ରଦ୍ଧାଳୁ ମାନେ ମାଙ୍କୁ ନିଜ ମନ୍ଦିରରୁ ବାପା ଘରକୁ ପାଛୋଟି ନେଇଥିଲେ । ପରେ ମା ପ୍ରତ୍ୟେକ ଦିନ ବିଭିନ୍ନ ବାଜ ବାଜଣା ପଟୁଆର ସହ ସାହିକୁ ସାହି ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଭୋଗ ଗ୍ରହଣ କରୁଛନ୍ତି । ଶନିବାର ମାଙ୍କ ଯାତ୍ରାର ୨୦ ଦିନ ରେ ପହଂଚିଛି । ମାଙ୍କ ଆଗରେ ରଣପ୍ପା କାଳୀ, ଆନ୍ଧ୍ରା କାଳୀ, ବିଭିନ୍ନ ଦେବାଦେବୀଙ୍କ ବେଶଧାରୀ, ବାଘ, ବୃଷଭ, ନାମ ସଂକୀର୍ତ୍ତନ, ଶିବ ପାର୍ବତୀଙ୍କ ମନୋରମ ଦୃଶ୍ୟ ଆଦି ମାଙ୍କ ଯାତ୍ରାର ଶୋଭା ବର୍ଦ୍ଧନ କରୁଛି । ଅନ୍ୟପଟେ ସହରକୁ ଆଲୋକ ତୋରଣରେ ସୁସଜ୍ଜିତ କରାଯାଇଛି । ପ୍ରତ୍ୟେହ ସକାଳୁ ସକାଳୁ ମାଙ୍କୁ ଦହିଭାତ ଭୋଗ କରିବା ସହିତ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ମା ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ପ୍ରବଳ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ରାମ,କୃଷ୍ଣ, ହନୁମାନ , କୃଷ୍ଣ, ବଳରାମ, ଦୁର୍ଗା, କାଳୀଙ୍କ ବେଶରେ ବେଶଧାରୀ ମାନେ ସହର ପରିକ୍ରମା କରୁଛନ୍ତି । ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସହର ବାସୀଙ୍କ ମନୋରଞ୍ଜନ ଲାଗି  ବାସୁଦେବ ଏଣ୍ଟର ପ୍ରାଇଜର୍ସ ପକ୍ଷରୁ ସ୍ଥାନୀୟ ଅନସ୍ଲୋ ଖେଳ ପଡିଆ ଠାରେ ରାମଦୋଳୀ ଓ ମୀନାବଜାର ର ଉଦଘାଟନ ହୋଇଛି । ଏହାକୁ ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ, ଯାତ୍ରା କମିଟିର ସମ୍ପାଦକ ପି. ରାଜୁ ରେଡ୍ଡୀ, ଏ. ସନ୍ତୋଷ କୁମାର, ଛତ୍ରପୁର ପ୍ରେସ କ୍ଲବର ସଭାପତି ସରୋଜ କୁମାର ସାମଲ, ସମ୍ପାଦକ ଅଜିତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଖିରୋଦ ଚନ୍ଦ୍ର ସାହୁ, ସାମ୍ବାଦିକ ରବିନ୍ଦ୍ର ନାଥ ପଣ୍ଡା ଓ ଦିଲ୍ଲୀପ କୁମାର ସାମଲଙ୍କ ସାଙ୍ଗକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଉଦଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବାସୁଦେବ ଏଣ୍ଟର ପ୍ରାଇଜର୍ସର ମାଲିକ ଅନନ୍ତ ଚରଣ ସାହୁ ସଂଯୋଜନା କରିଥିଲେ । ଲୋକେ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ସାଙ୍ଗରେ ଧରି ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି । ଏହି ଯାତ୍ରା  ଜୁନ  ୫ ତାରିଖ ପଯ୍ୟନ୍ତ ଚାଲିବାକୁ ଥିବା ବେଳେ ଘରେ ଘରେ ପିଠାପଣାର ଆସର ଜମିଥିବା ଦେଖିବାକୁ ମିଳିଛି । ସହର ବାସୀଙ୍କ ଉତ୍ସାହ ଉଦ୍ଦୀପନା ମଧ୍ୟରେ ମାଙ୍କ ଯାତ୍ରା ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ