ଅଣା-ସମଣା ଖାଲ ରାସ୍ତାକୁ ପୋତିଲା ପୂର୍ତ୍ତ ବିଭାଗ
ହାଟଡିହି (ଓ୍ବାଇଏନଏସ): ଅଣା – ସମଣା ରାସ୍ତାରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଥିବା ବେଳେ ଏହି ସ୍ଥାନରେ ନିୟମିତ ଦୁର୍ଘଟଣା ଘଟି ଅନେକ ଲୋକ ଆହାତ ହେଲେଣି। ହେଲେ ପୂର୍ତ୍ତ ବିଭାଗ ଅଧିକାରୀ ମାନଙ୍କ ଏହି ରାସ୍ତା ଉପରେ ଦୃଷ୍ଟି ପଡୁନି ବୋଲି ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଡବ୍ଲୁ ଏମ ଏମ ପକାଇ ଏହି ଖାଲକୁ ପୋତି ସମତୁଲ କରିଛି। ଗତ ୯ତାରିଖରେ ଏହି ଖବର ପ୍ରକାଶ ପାଇବା ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ କେଳୁ ଚରଣ ଦଳେଇ ରାସ୍ତା ପରିଦର୍ଶନ କରି ଖବରର ସତ୍ୟତା ଉପଲବ୍ଧି କରିବା ପରେ ଖାଲ ପୋଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଜଣେ ଠିକାଦାର ଆଜି ଡବ୍ଲୁ ଏମ ଏମ ପକାଇ ଖାଲ ପୋତି ସମତୁଲ କରିଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଖାଲ ପୋତା ଦୀର୍ଘସ୍ଥାୟୀ ନଥିବାରୁ ତୁରନ୍ତ ଦୀର୍ଘସ୍ଥାୟୀ ମାରମତିର ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି ସ୍ଥାନରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇ ନିୟମିତ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଥିଲା।


