ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ, (ଓ୍ବାଇଏନଏସ): ଗୋ ସମ୍ମାନ ଦିବସ ଅବସରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ୧୯ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରକୁ ଜ୍ଞାନରଂଜନ ଜେନା,ଶିବ ପ୍ରସାଦ ରାଉତ, ରାଜପ୍ରସାଦ ମହାନ୍ତି, ସତ୍ୟଜିତ ନାୟକ, ଚନ୍ଦନ କୁମାର ସ୍ୱାଇଁ, ଅମନ ଦାସ, ଶୁଭମ୍ ପଣ୍ଡା, ତୁଷାର ଲେଙ୍କା, ଅଜିତ ଲେଙ୍କା ପ୍ରମୁଖ ପ୍ରଦାନ କରିଛନ୍ତି। ଦାବି ଗୁଡିକ ଅଢେଇ ମାସ ମଧ୍ୟରେ ପୁରଣ ନ ହେଲେ ଜିଲାପାଳ ଓ ପରବର୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପ୍ରଦାନ କରାଯିବ ବୋଲି ଅଭିଯାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଗୋମାତାଙ୍କ କ୍ଷୀର,ଦହି,ଘିଅ, ଗୋବର ଓ ଗୋମୁତ୍ର ଆଦିକୁ ପ୍ରୋତ୍ସାହନ ଦେବା ପାଇଁ ଶାସନ ପକ୍ଷରୁ ଉପଯୁକ୍ତ ନୀତି ପ୍ରଣୟନ, ରାସାୟନିକ କୃଷିକୁ ନିୟନ୍ତ୍ରିତ କରି ଗୋ ଆଧାରିତ କୃଷିକୁ ପ୍ରୋତ୍ସାହନ, ସମସ୍ତ ରାଜ୍ୟରେ ଥିବା ବେସାହାରା ଗୋଶାଳା ଗୁଡିକୁ ଅନୁଦାନ ପ୍ରଦାନ, ସମଗ୍ର ଦେଶରେ ସଂରକ୍ଷିତ ଗୋଚର ଜମିକୁ ଜବରଦଖଲ ଉଚ୍ଛେଦ କରାଯିବା ସହିତ ଗୋଚର ବିକାଶ ବୋର୍ଡ ସ୍ଥାପନ କରାଯାଇ ଗୋଶାଳା ପରିଚାଳନା ଓ ଗାଈ ଚରିବା ପାଇଁ ବ୍ୟବସ୍ଥା କରିବା, ଗୋ-ହତ୍ୟା ଓ ଗୋ-ଚାଲାଣରେ ସଂପୃକ୍ତ ଅପରାଧିଙ୍କ ପାଇଁ ଆଜୀବନ କାରାଦାଣ୍ଡର ବ୍ୟବସ୍ଥା କରିବା,ଜିଲା ସ୍ତରରେ ପୃଥକ ଭାବେ ପଂଚଗବ୍ୟ ଚିକିତ୍ସାଳୟ ସ୍ଥାପନ କରିବା,ବଳଦ ଆଧାରିତ କୃଷି କରୁଥିବା କୃଷକମାନଙ୍କୁ ବିଶେଷ ଆର୍ଥିକ ସହାୟତା ପ୍ରଦାନ, ପ୍ରତ୍ୟେକ ଗ୍ରାମ ପଂଚାୟତରେ ନିରାଶ୍ରିତ ନନ୍ଦି ବଂଶ ମାନଙ୍କ ପାଇଁ ନନ୍ଦିଶାଳା ସ୍ଥାପନ, ଗୋ ବଂଶର ମୃତ ଦେହର ସସମ୍ମାନ ସହ ଶେଷ କୃତ ସଂପନ୍ନ କରିବା ପାଇଁ ସରକାରୀ ସ୍ଥାନ ଯୋଗାଣ ଓ ସମାଧିରେ ଉଚିତ ବ୍ୟବସ୍ଥା କରିବା, ଗୋଶାଳା ଗୁଡିକୁ ମନରେଗା ସହିତ ଯୋଡା ଯାଉ; ଯାହାଫଳରେ ଗୋଶାଳାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଶହେ ଦିନର ଗୋପାଳକ ମଜୁରୀ ମିଳିପାରିବ ଆଦି ଦାବି ରହିଛି।


