ବଞ୍ଚୋ ପଞ୍ଚାୟତର ମାସିକ ବୈଠକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ୪୮ତମ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ପ୍ରଶାନ୍ତ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପଞ୍ଚାୟତ ପୋଖରୀର ପୁନଃରୁଦ୍ଧାର, ନୂତନ ଭତ୍ତା ହିତାଧିକାରୀ ଚୟନ, ଅନ୍ତୋର୍ଦୟ ଗୃହ ଯୋଜନା ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ବଞ୍ଚୋ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହ ନିର୍ମାଣ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଦ୍ୟାବଧି କୌଣସି କର୍ମଚାରୀ ନିଯୁକ୍ତି ହେଉ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁନି। ଯାହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ଦଧିବାମନପୁର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ବାର୍ଷିକ ଖସଡ଼ାକୁ ଆଲୋଚନା କରାଯାଇ ଅନୁମତି ପାଇଁ ପଠା ଯାଇଥିଲା। ସେହିପରି ବଞ୍ଚୋ ପଞ୍ଚାୟତ ନିକଟରେ ବୈତରଣୀ ନଦୀ ବହିଯାଇ ଥିଲେ ବି ଏଠାକାର ବାଲି ଘାଟ ନିଲାମ ହେଉ ନଥିବାରୁ ଲୋକମାନେ ବାଲି ମୁଠେ ପାଇପାରୁ ନାହାନ୍ତି। ଆବାସ ଯୋଜନା ହିତାଧିକାରୀ ମାନେ ବହୁ ଦୂର ଦୁରାନ୍ତରୁ ବାଲି ଆଣି ଘର କରିବାରେ ନାନା ସମସ୍ୟା ଭୋଗୁଛନ୍ତି। ଏପରିକି ଗୋଟିଏ ଟ୍ରାକ୍ଟର ବାଲିକୁ ୩୫୦୦ ରୁ ୪ ହଜାର ଟଙ୍କା ପଡୁଥିବାରୁ ଏତେ ଅଧିକ ମୂଲ୍ୟରେ ବାଲିକିଣି ଘର କରିବା ସମ୍ଭବ ହୋଇ ପାରୁନି। ତେଣୁ ବଞ୍ଚୋ ବାଲିଘାଟକୁ ନିଲାମ ଦେବାପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇ ଥିଲା। ଏଥିରେ ପିଇଓ ଶରତ କୁମାର ବେଜ, ଏଡିଓ ସସ୍ମିତା ପାଢ଼ୀ, ନାଏବ ସରପଞ୍ଚ ବାସନ୍ତୀ ବେହେରା, ଶାନ୍ତି ମୁଦୁଲି, ହୃଷିକେଶ ପରିଡା, ଜଗନ୍ନାଥ ଦାସ, ତପସ୍ୱିନୀ ଜେନା, ଯଶୋଦା ରାଉତ, ବାସନ୍ତୀ ବେହେରା, ଜୟନ୍ତୀ ଖଟୁଆ, ଶ୍ରୀଧର ଖଟୁଆ, ଶ୍ରୀକାନ୍ତ ଜେନାଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ।


