ମାସ ସରିଲା, ମିଳିଲାନି ଭତ୍ତା
ହାଟଡିହି (ଓ୍ବାଇଏନ,ସ): ପୂର୍ବ ସରକାର ପ୍ରତି ମାସର ୧୫ ତାରିଖରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଅର୍ଥ ପ୍ରଦାନ କରୁଥିବା ବେଳେ ଏପ୍ରିଲ ମାସ ସରିଲା ପଛେ ହେଲେ ଏଯାଏଁ ହିତାଧିକାରୀଙ୍କୁ ମିଳିଲାନି ଏପ୍ରିଲ ମାସର ଭତ୍ତା। ହାତାହାତି ଭତ୍ତା ପାଉଥିବା ହିତାଧିକାରୀ ମାନେ ଏପ୍ରିଲ ୨୨/୨୩ ରେ ଭତ୍ତା ପାଇଥିବା ବେଳେ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ଆଜି ପର୍ଯ୍ୟନ୍ତ ଭତ୍ତା ନପାଇ ହାତୋତ୍ସାହିତ ହୋଇ ପଡିଛନ୍ତି। ହାଟଡିହି ବ୍ଲକରେ ୭୬୫୬ ଜଣଙ୍କୁ ଅନଲାଇନ୍ ଭତ୍ତା ଦିଆ ଯାଉଥିବା ବେଳେ ୧୪୯୩୨ ଜଣ ହିତାଧିକାରୀ ହାତାହାତି ଭତ୍ତା ପାଉଛନ୍ତି। ଏହି ଭତ୍ତା ଟଙ୍କାରୁ କିଏ ଔଷଧ ଟିକେ କିଣୁଛି ତ ଆଉ କିଏ ତେଲ ଲୁଣ କିଣି ଜୀବନ ବିତାଉଛି। ବିଶେଷ କରି ଏହି ଭତ୍ତା ଅନେକ ଗରିବ ବୃଦ୍ଧ ବୃଦ୍ଧାଙ୍କ ସାହାରା ପାଲଟି ଥିବାବେଳେ ଠିକ ସମୟରେ ଭତ୍ତା ମିଳୁନଥିବାରୁ ଏହା ହିତାଧିକାରୀ ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି ବ୍ୟବସ୍ଥାରେ ସୁଧାର ଆଣି ପୂର୍ବଭଳି ପ୍ରତିମାସ ୧୫ ତାରିଖରେ ଭତ୍ତା ଯୋଗାଇ ଦେବାକୁ ଦାବି ହୋଇଛି।


