କାମ କରୁନି ଯୋଜନା: ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ନୂତନ ସରକାରକୁ ଦୁଇ ବର୍ଷ ପୂରଣ । ରାଜଧାନୀରେ ବିଜୟୋତ୍ସବ । କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ‘ପରିବର୍ତ୍ତନ’ ଆଶାରେ ଭୋଟ ଦେଇଥିବା ଅସ୍ତରଙ୍ଗ ବାସୀଙ୍କ ପାଇଁ ଆଜି ବି ‘ଯଥା ପୂର୍ବଂ ତଥା ପରଂ’। କୃଷି ପ୍ରଧାନ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବେଗୁନିଆବସ୍ତ, ନଇଁଗୁଆଁ, ଖଣ୍ଡାସାହି, ଝାରିଆ ଅଞ୍ଚଳ ଶତାଧିକ ଚାଷୀ ହୋଇଥିବା ବେଳେ ଆଜି ଯାଏଁ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ । ଚାଷୀ ଉତ୍ପାଦିତ ପନିପରିବା ସଢ଼ି ଯାଉଛି । ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ପେସିଆଲିଷ୍ଟ ଡାକ୍ତର ପଦବୀ ଖାଲି । ସାମାନ୍ୟ ରୋଗରେ ବି ରୋଗୀଙ୍କୁ ଭୁବନେଶ୍ୱର, କଟକ ରେଫର କରାଯାଉଛି । ଶିଶୁଅ, ଛୁରିଆନା, ଝାଡ଼ଲିଙ୍ଗ ଭଳି ୭ଟି ଗ୍ରାମରେ ଆଜି ବି ପାନୀୟ ଜଳ ପାଇଁ ହାହାକାର । ୧୨ କୋଟିର ମେଗା ଜଳ ପ୍ରକଳ୍ପର ପାଇପ ପଡିଛି, ହେଲେ ପାଣି ନାହିଁ । ସମୁଦ୍ରକୂଳିଆ ଅସ୍ତରଙ୍ଗର ମତ୍ସ୍ୟଜୀବୀଙ୍କ ପାଇଁ ‘ଫିସିଂ ହାର୍ବର’ କେବଳ ପ୍ରତିଶ୍ରୁତିରେ ସୀମିତ। ନୂତନ ବସଷ୍ଟାଣ୍ଡ ନାହିଁ । ପ୍ରତି ସମସ୍ୟାରେ ପ୍ରଶାସନର ଉତ୍ତର ‘ଖୁବଶୀଘ୍ର ହେବ’। ହେଲେ ସେହି ‘ଖୁବଶୀଘ୍ର’କୁ ଦୁଇ ବର୍ଷ ବିତିଲାଣି । ଆଗକୁ ପଞ୍ଚାୟତ ନିର୍ବାଚନ। ସ୍ଥାନୀୟ ବାସିନ୍ଦାଙ୍କ ସିଧା ପ୍ରଶ୍ନ ମୌଳିକ ସମସ୍ୟାର ସମାଧାନ ନ ହେଲେ ଆମେ କାହିଁକି ପୁଣି ଭରସା କରିବୁ? ବିରୋଧୀ ଏହାକୁ ପ୍ରସଙ୍ଗ କରିବାକୁ ସଜବାଜ। ଯଦି ସରକାର ତୁରନ୍ତ ଅସ୍ତରଙ୍ଗ ରେ ଶୀତଳ ଭଣ୍ଡାର, ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ପାନୀୟ ଜଳ ଓ ଫିସିଂ ହାର୍ବର କାମରେ ଗତି ନ ଆଣନ୍ତି, ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାର ସିଧା ପ୍ରଭାବ ପଡିବ ବୋଲି ଗ୍ରାମାଞ୍ଚଳ ଥିବା ପୁରୁଖା ରାଜନୈତିକ ବ୍ୟକ୍ତି ବିଶେଷ ମାନେ ମତ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ