ଗଜପତିର 3 ଟି ଗ୍ରାମ, ଯେଉଁଠାରେ କି ଧାରା ଶ୍ରାବଣରେ ମଧ୍ୟ ଜଳ କଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏମିତି 3 ଟି ଗ୍ରାମ ରହିଛି ଯେଉଁଠାରେ କି ଧାରା ଶ୍ରାବଣରେ ମଧ୍ୟ ଜଳ କଷ୍ଟ ଯୋଗୁଁ ଗ୍ରାମବାସୀଙ୍କୁ ପିଇବା ପାଇଁ ପାଣି ମୁନ୍ଦାଏ ସୁଦ୍ଧା ପାଉନାହାନ୍ତି.  ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଏକୁଆମାରା, କୁୟାଁରା ଓ ଦୁର୍ଗମ ଏହି 3 ଗୋଟି ଗ୍ରାମରେ ପ୍ରତେକ ବର୍ଷ ଧାରା ଶ୍ରାବଣରେ ମଧ୍ୟ ଲୋକଙ୍କୁ ପିଇବା ପାଣି ମିଳୁନାହିଁ. ଏହି ତିନି ଗ୍ରାମର ଲୋକଙ୍କୁ ପିଇବା ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପାହାଡ଼ ତଳିଆ ଅଞ୍ଚଳରେ ଥିବା ଏହି ତିନି ଗ୍ରାମରେ ପ୍ରାୟ ୬୦ରୁ ଅଧିକ ପରିବାରର ୫୦୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ପ୍ରାକୃତିକ ଜଳ ଉତ୍ସ ନ ଥିବାରୁ ସେମାନେ ପାନୀୟ ଜଳ ପାଇଁ ସୌରଚାଳିତ ପ୍ରକଳ୍ପ ଓ ନଳକୂପ ଉପରେ ନିର୍ଭର କରିଥାନ୍ତି। ମାତ୍ର ଏକୁଆମାରାରେ ଘରକୁ ଘର ପାଣି ଯୋଗାଇବା ପାଇଁ ନିର୍ମିତ ସୌରଚାଳିତ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ସର୍ବସାଧାରଣଙ୍କ ପାଇଁ ଥିବା ଅନ୍ୟ ପ୍ରକଳ୍ପଟି ମେଘୁଆ ପାଗ ହେଲେ ଠିକ୍ ରୂପେ କାମ କରୁନାହିଁ। ଫଳରେ ଲୋକଙ୍କୁ ପାଇପ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। କୁୟାଁରାର ସୌରଚାଳିତ ପ୍ରକଳ୍ପ ମଧ୍ୟ ଅଚଳ ଥିବା ବେଳେ ଦୁର୍ଗମଂ ଗ୍ରାମରେ ଏଭଳି କୌଣସି ପ୍ରକଳ୍ପ ନାହିଁ। ଦୁଇ ଗ୍ରାମରେ ନଳକୂପ ଥିଲେ ମଧ୍ୟ ଦୁର୍ଗମଂ ଗ୍ରାମରେ ଥିବା ନଳକୂପ ଖରାପ ହୋଇପଡ଼ିଛି। କୁୟାଁରାରେ ଥିବା ନଳକୂପରୁ ଜଙ୍କଯୁକ୍ତ ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଚଳ ପ୍ରକଳ୍ପ ଗୁଡ଼ିକର ତୁରନ୍ତ ମରାମତି ସହ ତିନି ଗ୍ରାମରେ ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ