ଆଜି ଆନ୍ତର୍ଜାତିକ ବୟସ୍କ ଦିବସ

ଆସିକା (ୱାଇଏନ୍‍ଏସ୍‍) : ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୧ ତାରିଖରେ ପାଳନ ହୋଇଥାଏ ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ । ସମାଜରେ ବସବାସ କରୁଥିବା ବୟସ୍କ ନାଗରିକମାନଙ୍କ ସମାଜ ପ୍ରତି ଥିବା ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଓ ସମ୍ମାନ ଜଣାଇବା ଏବଂ ସେମାନଙ୍କ ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ଏହି ଦିବସ ପ୍ରତିବର୍ଷ ଅକ୍ଟୋବର ମାସ ୧ ତାରିଖରେ ପାଳନ କରାଯାଇଥାଏ । ବୟସ୍କ ନାଗରିକମାନେ ହେଉଛନ୍ତି ସମାଜ ଏବଂ ପରିବାର ପାଇଁ ଜ୍ଞାନର ଉତ୍ସ ଏବଂ ଅଭିଜ୍ଞତାର ଗନ୍ତାଘର । ପରିବାର ଓ ସମାଜକୁ ଭଲ ବାଟରେ ନେବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୟସ୍କ ନାଗରିକମାନେ ସମାଜର ପଥ ପ୍ରଦର୍ଶକ ହୋଇଥିବା ବେଳେ ସେମାନେ ଯେପରି ବୃଦ୍ଧାବସ୍ଥାରେ ସମ୍ମାନର ସହ ହସଖସିରେ ଜୀବନଯାପନ କରିପାରିବେ ସେଥିପାଇଁ ପଦକ୍ଷେପ ନେବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବୟସର ଅପରାହ୍ନରେ ଅଧିକାଂଶ ବରିଷ୍ଠ ନାଗରିକ ନାନା କାରଣରୁ ନିଃସଙ୍ଗରେ ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି । ବୟସ୍କ ନାଗରିକ ମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ଏବଂ ବୟସ୍କ ନାଗରିକ ମାନଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ଓ ବୟସ୍କ ନାଗରିକଙ୍କୁ ଦିଆଯାଉଛି ଯଥାସମ୍ଭବ ସମ୍ମାନ ବୋଲି ଡଣ୍ଡିମ ପିଟାଯାଉଥିଲା ବେଳେ ଆସିକା ଅଞ୍ଚଳର ସମସ୍ତ ବୟସ୍କ ନାଗରିକମାନଙ୍କୁ ଅଦ୍ୟାବଧି ପରିଚୟ ପତ୍ର ନ ମିଳିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବରିଷ୍ଠ ନାଗରିକ ସଂଘର ସଭାପତି ଗଣେଶ ରଥ, ବରିଷ୍ଠ ସଦସ୍ୟ ଉତ୍ତର କୁମାର ପରିଡା, ଭି.କ୍ରିଷ୍ଣାସ୍ୱାମୀ ରାଓ, ରାମଶରଣ ମହାପାତ୍ର, ରମେଶ ଚନ୍ଦ୍ର ମହାରଣା, ଏମ୍‍.ତାରିଣୀ ସେନାପତି, ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଗଭୀର କ୍ଷୋଭର ସହ ପ୍ରକାଶ କରି କହିଛନ୍ତି ବୟସ୍କ ନାଗରିକଙ୍କ ସୁରକ୍ଷା ଏବଂ ସମ୍ମାନ ଓ ସୁବିଧା ସୁଯୋଗ କେତେକ ସଭାସମିତିରେ କେବଳ ଭାଷଣ ମାଧ୍ୟମରେ ଶୁଣିବାକୁ ମିଳୁଛି ବୋଲି ସୂଚନା ଦେଇଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବୟସ୍କ ନାଗରିକ ମାନଙ୍କ ଅଧିକାର ଏବଂ ସୁରକ୍ଷା ପ୍ରତି ଦୃଷ୍ଟି ଦେବା, ବରିଷ୍ଠ ନାଗରିକମାନଙ୍କ ଜ୍ଞାନ ଏବଂ ଅଭିଜ୍ଞତା ଓ କାର୍ଯ୍ୟକୁ ସମ୍ମାନ ଦେବା, ବୟସ୍କ ନାଗରିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା, ଘରେ ଏକାକୀ ରହି ନିଃସଙ୍ଗ ଜୀବନଯାପନ କରୁଥିବା ବୟସ୍କ ନାଗରିକମାନଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ସାହାର୍ଯ୍ୟ କରିବା, ବୟସ୍କ ନାଗରିକମାନଙ୍କୁ ଜରୁରୀକାଳୀନ ଟେଲିଫୋନ୍‍ ନମ୍ବର ଲେଖାଥିବା ପୁସ୍ତିକା ପ୍ରଦାନ କରିବା, ପ୍ରଶାସନ ପକ୍ଷରୁ ବୟସ୍କ ନାଗରିକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ପାଇଁ ଆପଣ କେମିତି ଅଛନ୍ତି କାର୍ଯ୍ୟକ୍ରମ ଆୟୋଜନ କରିବା, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବୟସ୍କ ନାଗରିକମାନଙ୍କୁ ଚିକିତ୍ସାସେବା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା, ବସ୍‍ ଓ ଟ୍ରେନ୍‍ରେ ଯାତାୟତ ପାଇଁ ରିହାତିର ବ୍ୟବସ୍ଥା କରିବା, ବ୍ୟବସାୟିକ ସଂସ୍ଥାରେ ବୟସ୍କ ନାଗରିକ ମାନଙ୍କ କାମ ଅଗ୍ରାଧିକାର ଭିତ୍ତିରେ ସଂପନ୍ନ କରିବା, ବୟସ୍କ ନାଗରିକମାନେ ଏକତ୍ରିତ ହୋଇ ଆଲୋଚନା କରିବା ସକାଶେ ପରିବେଶ ସୃଷ୍ଟି କରିବା, ବୟସ୍କ ନାଗରିକ ମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ବୟସ୍କ ନାଗରିକ ମାନଙ୍କ ପାଇଁ ସୁରକ୍ଷା ସେଲ୍‍ ଗଠନ କରିବା ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ବରିଷ୍ଠ ନାଗରିକ ସଂଘର ସଭାପତି ଗଣେଶ ରଥ, ବରିଷ୍ଠ ସଦସ୍ୟ ଉତ୍ତର କୁମାର ପରିଡା, ଭି.କ୍ରିଷ୍ଣାସ୍ୱାମୀ ରାଓ, ରାମଶରଣ ମହାପାତ୍ର, ରମେଶ ଚନ୍ଦ୍ର ମହାରଣା, ପ୍ରିତ୍‍ବାସ ମୁନି, ରାଧାମୋହନ ପାଢୀ, ଦୁର୍ଗାଚରଣ ମିଶ୍ର, ମିହିର୍‍ କାନ୍ତ ମହାପାତ୍ର, ବିଜୟ କୁମାର ଜେନା, ଗୋପୀନାଥ ଦାଶ, ସୁବାସ ଚନ୍ଦ୍ର ଭୂୟାଁ ପ୍ରମୁଖ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ