କଟକ ଜିଲ୍ଲାର ଦୁଇ ଶହ ନର୍ସିଂହୋମ୍ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା
କଟକ, (ଓ୍ବାଇଏନଏସ) : କଟକ ଜିଲ୍ଲାରେ ସରକାରୀ କାଗଜପତ୍ରରେ ପଞ୍ଜୀକୃତ ନର୍ସିଂହୋମ୍ ତଥା ଘରୋଇ ହସ୍ପିଟାଲ୍ ସଂଖ୍ୟା ୨୬୦ ରହିଛି । ଜିଲ୍ଲାରେ ପଞ୍ଜୀକୃତ ଅପେକ୍ଷା ଅଣପଞ୍ଜୀକୃତ ନର୍ସିଂହୋମ୍ ସଂଖ୍ୟା ଅଧିକ । ସେହିପରି ଯେଉଁ ୨୬୦ଟି ପଞ୍ଜୀକୃତ ସଂସ୍ଥା ରହିଛି ସେଥିରୁ ୬୦ଟି ଘରୋଇ ହସ୍ପିଟାଲ୍ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର (ଫାୟାର୍ ସେଫ୍ଟି ସାର୍ଟିଫିକେଟ୍) ନେବା ବଦଳରେ ସେଲ୍ଫ ରେଗୁଲେଟରୀ କାଟାଗୋରିରେ ସତ୍ୟପାଠ ଦେଇ ବର୍ଷ ବର୍ଷ ହେଲା ବେପାର ଚଳାଇ ଆସୁଛନ୍ତି । ସେହିପରି ଆଉ ଅବଶିଷ୍ଟ ସରକାରୀ କାଗଜପତ୍ରରେ ଥିବା ନର୍ସିଂହୋମ୍ଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ସେବା ସଂସ୍ଥାକୁ ଚକମା ଦେଇ ନିଜ ବ୍ୟବସାୟୀକ ସାମ୍ରାଜ୍ୟ ଚଳାଇଛନ୍ତି । ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥାଇ ଶହ ଶହ ନର୍ସିଂହୋମ୍ରେ ରୋଗୀଙ୍କ ଚିକିତ୍ସା ଚାଲିଛି । ଏପରିସ୍ଥଳେ ଯଦି କୌଣସି ନର୍ସିଂହୋମ୍ରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଘଟି ରୋଗୀଙ୍କର ଯଦି କିଛି କ୍ଷତି ହୁଏ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ ଉଠୁଛି । ଆବଶ୍ୟକ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥାଇ ନର୍ସିଂହୋମ୍ଗୁଡ଼ିକରେ ରୋଗୀଙ୍କ ଚିକିତ୍ସା ଚାଲିଥିଲେ ହେଁ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉନାହିଁ । ଜିଲ୍ଲା ପ୍ରଶାସନର ଏକ ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ କେବଳ କାଗଜପତ୍ରରେ ଥିଲା ପରି ମନେହେଉଛି । ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ରେ ଜିଲ୍ଲାପାଳଙ୍କ ପ୍ରତିନିଧି, ଏସ୍ପି କିମ୍ବା ଡିସିପିଙ୍କ ପ୍ରତିନିଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧିମାନେ ମିଳିତ ଭାବେ ନିୟମିତ ବ୍ୟବଧାନରେ ଧରପଗଡ଼ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । କିନ୍ତୁ ତାହା କରାଯାଉନାହିଁ । ଶେଷ ଥର ପାଇଁ ଗତ ଜାନୁଆରୀ ମାସରେ ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଏକ ନର୍ସିଂହୋମ୍ ଓ ଦୁଇଟି ଲାବ୍ ଉପରେ ଚଢ଼ଉ କରିଥିଲା । ତିନି ମାସ ମଧ୍ୟରେ ଜିଲ୍ଲାରେ କୌଣସି ନର୍ସିଂହୋମ୍ କିମ୍ବା ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ ଉପରେ ଆଉ ଚଢ଼ଉ ହୋଇନାହିଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ଜିଲ୍ଲା ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ର ଏପରି ନିଷ୍କ୍ରିୟତା ଯୋଗୁଁ ସହରଠୁ ଗ୍ରାମାଞ୍ଚଳ ଯାଏ ଘରୋଇ ହସ୍ପିଟାଲ୍ଗୁଡ଼ିକ ମନମାନି ଚଳାଇଛନ୍ତି ବୋଲି ଅଭିଯୋଗ ହେଉଛି । ଆଇସିୟୁ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣ ବାଧ୍ୟତାମୂଳକ ରହିଛି । ସେହିପରି ୩୦ରୁ ଅଧିକ ବେଡ୍ ଓ ୪ ମହଲା ବିଶିଷ୍ଟ କୋଠାରେ ନର୍ସିଂହୋମ୍ ଥିଲେ ଉକ୍ତ ପ୍ରମାଣପତ୍ର ମଧ୍ୟ ଜରୁରି । ସ୍ୱାସ୍ଥ୍ୟ ବିଭାଗର ଏସବୁ ନୀତିନିୟମ କେବଳ କାଗଜପତ୍ରରେ ରହିଛି । ଅଧିକାଂଶ ଘରୋଇ ହସ୍ପିଟାଲ୍ଗୁଡ଼ିକରେ ଆଇସିୟୁ ଥିବାର ଦେଖିବାକୁ ମିଳୁଛି । ଆଇସିୟୁ ଖୋଲି ଗୁରୁତର ରୋଗୀ ଏବଂ ଟ୍ରମା କେୟାର୍ ଚିକିତ୍ସା ନାଁରେ ବେପାର ଚଳାଇଛନ୍ତି । ମାତ୍ର କାଗଜପତ୍ରରେ ହସ୍ପିଟାଲ୍ରେ ଆଇସିୟୁ ସୁବିଧା ନଥିବା ହସ୍ପିଟାଲ୍ଗୁଡ଼ିକ ଦର୍ଶାଇଛନ୍ତି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ ହୋତା ପ୍ରତିକ୍ରିୟାରେ କହିଛନ୍ତି, ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖି ହସ୍ପିଟାଲ୍ ଚଳାଇବାକୁ ଆମେ ସବୁବେଳେ ଘରୋଇ ହସ୍ପିଟାଲ୍ ମାଲିକଙ୍କୁ ନିର୍ଦ୍ଦେଶ ଦେଉଛୁ । ଏନ୍ଫୋର୍ସମେଣ୍ଟ୍ ଏବେ କିଛି ମାସ ହେଲା ବନ୍ଦ ଥିଲେ ମଧ୍ୟ ଆଗକୁ ଧରପଗଡ଼ ହେବ।


