୬ ବର୍ଷରେ ଏସସିବିରୁ ୧୪ ନବଜାତ ଶିଶୁ ନିଖୋଜ ! ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆରଡିସି

କଟକ, (ଓ୍ବାଇଏନଏସ): ଏସସିବି ମେଡିକାଲ କଲେଜରୁ ନିଖୋଜ ହୋଇଛନ୍ତି ଅନେକ ନବଜାତକ ! ଗତ ୬ବର୍ଷ ଭିତରେ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ୧୪ଜଣ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଆରଡିସି ଏସସିବି ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆର୍‌ଡିସି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଏଥିସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏକ ରିପୋର୍ଟ ଆରଡିସିଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ଜଣେ ସୂଚନା ଅଧିକାର କର୍ମୀ ଅଭିଯୋଗ କ୍ରମେ ଆରଡିସି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଅନେକ ଅସହାୟ ଓ ଅପରିଚିତ ମାନସିକ ଭିନ୍ନକ୍ଷମ ମହିଳା ଆସି ବିଭିନ୍ନ ସମୟରେ ସନ୍ତାନ ପ୍ରସବ କରୁଛନ୍ତି। ସାମାଜିକ କର୍ମୀଙ୍କ ମାଧ୍ୟମରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ହେଲେ ସନ୍ତାନ ପ୍ରସବ ପରେ ନବଜାତ ଶିଶୁଙ୍କୁ ମେଡିକାଲ ପକ୍ଷରୁ ସିଡବ୍ଲ୍ୟୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଶିଶୁଯତ୍ନ ପ୍ରତିଷ୍ଠାନରେ ଥଇଥାନ କରିବା କଥା। ହେଲେ ସେପରି କରା ନ ଯାଇ ଯେଉଁମାନେ ଏହି ମହିଳାଙ୍କୁ ମେଡିକାଲ୍ ଆଣିଅନ୍ତି ସେମାନଙ୍କୁ ନବଜାତ ଶିଶୁଙ୍କୁ ଟେକି ଦିଆଯାଉଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି । ଆବେଦନକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରାସ୍ତାରେ ବୁଲୁଥିବା ଅସହାୟ ଓ ଅପରଚିତ ମାନସିକ ଭିନ୍ନକ୍ଷମ ମହିଳା ଏସସିବି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଯେଉଁ ସନ୍ତାନମାନ ପ୍ରସବ କରୁଛନ୍ତି ସେହି ପିଲାମାନଙ୍କର ପତ୍ତା ମିଳୁନି । ଏହି ନବଜାତକଙ୍କୁ ଯେଉଁମାନେ ନେଉଛନ୍ତି ସେମାନେ ବିକ୍ରି କରି ଦେଉଛନ୍ତି । ଏହି ଘଟଣା ନିତିଦିନିଆ ହୋଇଗଲାଣି ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି ସୂଚନା ଅଧିକାର କର୍ମୀ । ନିୟମ ଅନୁଯାୟୀ, ପ୍ରସବ ପରେ ଏପରି ଶିଶୁମାନଙ୍କୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିବା କଥା। ମାତ୍ର ଏପରି ନକରି କିଛି ବ୍ୟକ୍ତି ବିଶେଷ ବା ସଂସ୍ଥାମାନଙ୍କୁ ହସ୍ତାନ୍ତର କରି ଦିଆ ଯାଉଥିବା ସେ ଉଲ୍ଲେଖ କରିଛନ୍ତି । ହେଲେ ହସ୍ତାନ୍ତର ପରେ ଏହି ନବଜାତ ଶିଶୁମାନଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏହି ପିଲାମାନେ କେଉଁଠି ଅଛନ୍ତି, କାହା ପାଖରେ କୌଣସି ଖବର ନାହିଁ । ଏପରିକି ନବଜାତ ଶିଶୁ ମାନଙ୍କର ଜନ୍ମ ପଞ୍ଜିକରଣ ପାଇଁ ମଧ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କଟକ ମହାନଗର ନିଗମକୁ ପଠାଉ ନଥିବା ନେଇ ଆବେଦନକରି ଅଭିଯୋଗ ଆଣିଛନ୍ତି। ଏ ନେଇ ସୂଚନା ଅଧିକାର କର୍ମୀ ଜଣକ ଆରଡିସିଙ୍କ ସମେତ କଟକ ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅନ୍ୟମାନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଆରଡିସି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେଵେ ଏନେଇ ଏସସିବି କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ