ନିୟମ ଉଲ୍ଲଘଂନ କରିଥିବା ଗାଡି ଜବତ
ଛତ୍ରପୁର, (ଓ୍ବାଇଏନଏସ): ଆଉ ଜୋରିମନା ନୁହେଁ, ଏଣିକି ସିଧା ଗାଡି ଜବତ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନର ଉଲଘଂନ କରୁଥିବା ଗାଡିଗୁଡିକୁ ତୁରନ୍ତ ଜବତ କରିବାକୁ ରାଜ୍ୟରେ ସମସ୍ତ ଆଚଂଳିକ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଫିଟନେସ, ଅବୈଧ ପଞ୍ଜିକରଣ, ପରମିଟ ଅବଧି ଶେଷ ହୋଇଥିବା ଏବଂ ବୀମା ନିୟମ ଉଲ୍ଲଂଘନ କରୁଥିବା ଗାଡିଗୁଡିକ ଏଣିକି ଜବତ କରାଯିବ । ଏହି ଅବସରରେ ଗଞ୍ଜାମ ଓ ଭଞ୍ଜନଗର ପରିବହନ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନରେ ୪ ଦିନରେ ୩୮ ଗାଡି ଜବତ କରାଯାଇଥିବା ସୂଚନା ମିଳିଛି । ଗଞ୍ଜାମ ଆଚଂଳିକ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଟିମ ଗଠନ ହୋଇ ବିଭିନ୍ନ ସ୍ଥାନ କଡାକଡି ଯାଂଚ କରାଯାଇ ୪ ଦିନରେ ୨୯ ଗାଡି ଜବତ କରାଯାଇଛି । ଜବତ ଗାଡିକୁ ସ୍ଥାନୀୟ ଥାନାରେ ରଖାଯାଉଛି । ସେହିପରି ଭଞ୍ଜନଗର ଆଚଂଳିକ ପରିବହନ ବିଭାଗ ପକ୍ଷରୁ ୯ଟି ଗାଡି ଜବତ ହୋଇଥିବା ସୂଚନା ମିଳିଛି । ଜବତ ଗାଡିର ଇ.ଚାଲାଣ କଟାଯାଇଛି ।


