ଭିଜିଲାନ୍ସ ଜାଲରେ କୋଟିପତି ଅଫିସର:୮୪ ଏକର ଜମି ଅମାପ ସମ୍ପତ୍ତି ଜବତ
କଟକ (ଓ୍ବାଇଏନଏସ): ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରି ଭିଜିଲାନ୍ସ ତାଙ୍କୁ ପିସି ଆକ୍ଟରେ ଗିରଫ କରିଛି । ପରେ କଳାହାଣ୍ଡି ଭବାନୀପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ଖାନତଲାସି ବେଳେ ଏକର ଏକର ଜମି, କୋଠା, ପ୍ଲାଟ, ଦୋକାନ, ଲକ୍ଷଲକ୍ଷ ଟଙ୍କା ଓ ସୁନା ଜବତ କରାଯାଇଛି । ଓଡ଼ିଶା ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ୮ଟି ସ୍ଥାନରେ ରେଡ କରାଯାଇଥିଲା । ଭିଜିଲାନ୍ସର ୧୦ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର ଓ ୧୦ ଏଏସଆଇ ଦ୍ବାରା ଚଢାଉ କରାଯାଇଥିଲା । ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁର ବିଭିନ୍ନ ସ୍ଥାନରେ ଖାନତଲାସି ବେଳେ ଅନେକ ସମ୍ପତି ଠାବ କରାଯାଇଥିଲା । ଏପରିକି ତାଙ୍କର ନିଜର ଘର କଳାହାଣ୍ଡିର ଜୁନାଗଡ଼ ଥାନା କୁପାଗାରେ ମଧ୍ୟ ରେଡ କରିଥିଲା ଭିଜିଲାନ୍ସ । ଏହା ସହିତ ଭୁବନେଶ୍ବରରେ ଗୋଠପାଠଣାରେ ଥିବା ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରର ହାଉସିଂ ବୋର୍ଡ କଲୋନୀରେ ଥିବା ଘର ସହ ନବରଙ୍ଗପୁରରେ ଥିବା ଶ୍ବଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ହୋଇଥିଲା । ଭିଜିଲାନ୍ସର ଖାନତଲାସି ବେଳେ ୨ଟି ସୁଉଚ୍ଚ କୋଠା, ଭୁବନେଶ୍ୱରରେ ଗୋଟିଏ ୩ BHK ଫ୍ଲାଟ୍, ୪୬ ଏକରର ୨ଟି ଫାର୍ମ ହାଉସ ସହିତ ମୋଟ ୮୪ ଏକର ଜମି, ୩୧୨ ଗ୍ରାମର ସୁନା ଗହଣା, ୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୫ଟି ଦୋକାନ ସହିତ ଏକ ସପିଂ କମ୍ପ୍ଲେକ୍ସ ଠାବ କରାଯାଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେଉଁ ସବୁ ଜାଗା ଠାବ ହୋଇଛି ସେଠାରେ ଅନେକ ସ୍ଥାନରେ ଫାର୍ମହାଉସ ରହିଛି । ବିଶେଷ କରି ୪୮ ଏକର ଜାଗାରେ ଥିବା ଫାର୍ମ ହାଉସରେ ଜଳ ସଂରକ୍ଷଣ ଏକ ପ୍ରୋଜେକ୍ଟ ମଧ୍ୟ କରାଯାଇଛି । ଅଧିକାଂଶ ଆୟ ବର୍ହିଭୂତ ମପତିକୁ ଜମିରେ ନିବେଶ କରିଥିଲେ । ଏନେଇ, କୋରାପୁଟ ଭିଜିଲାନ୍ସ ପିଏସ୍ ନଂ. ୨୪/୨୦୨୫ରେ ଦୟାନିଧି ବାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି । ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।


