ସୁପ୍ରସିଦ୍ଧ ଖସଡ଼ା ଜଳପ୍ରପାତରେ ଗ୍ରାମବାସୀଙ୍କ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଖସଡ଼ା ଜଳପ୍ରପାତ। ଏହି ପର୍ଯ୍ୟଟନ ଋତୁରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହି ଜଳପ୍ରପାତରେ ପର୍ଯ୍ୟଟକମାନେ ଜଳକ୍ରୀଡା କରିବା ସହ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ସହ ପିକନିକର ଆୟୋଜନ କରି ଖୁସିର ଆସର ଜମାଇଥାନ୍ତି. ହେଲେ ପିକନିକ ସରିବା ପରେ ପର୍ଯ୍ୟଟକମାନେ ବର୍ଜ୍ୟବସ୍ତୁଗୁଡିକୁ ସଫା ନ କରି ସେପରି ଛାଡି ଚାଲିଯାନ୍ତି. ଯାହା ଫଳରେ ଜଳପ୍ରପାତର ଚତୁର୍ପାଶ୍ୱରେ ଅପରିସ୍କାର ପରିବେଶ ସହ ଆବର୍ଜନା ବୃଦ୍ଧି ପାଇଛି । ତେଣୁ ଲବାରସିଂ ଗ୍ରାମପଂଚାୟତର ଦୁଇ ଗ୍ରାମବାସୀ ରାଙ୍କୁଡ଼ା ଓ ଖସଡ଼ା ଗ୍ରାମର ପ୍ରାୟ 200 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜଳପ୍ରପାତ ଠାରେ ଶ୍ରମଦାନ କରି ଚତୁରପାର୍ଶ୍ୱକୁ ସଫେଇ କରିଛନ୍ତି । ଆଗାମୀ ଦିନରେ ଜଳପ୍ରପାତର ସର୍ବାଙ୍ଗୀନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଏହି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି.


