ପୌରପାଳିକା ମହାନାଳ ସଫେଇ କାର୍ଯ୍ୟର ତଦାରଖ କଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସହରରୁ ଉଦବୃତ ବର୍ଷା ଜଳ ନିଷ୍କାସନ ସମସ୍ୟା ଦୀର୍ଘ ବର୍ଷ ପୁରୁଣା । ଏହି ସମସ୍ୟାର ଦୀର୍ଘମିଆଦୀ ନିରାକରଣ ପାଇଁ ମହାନାଳ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ପ୍ରକ୍ରିୟା ସମ୍ପ୍ରତି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଆସନ୍ତା ମୌସୁମୀ ବାୟୁ ପ୍ରବାହ ଜନିତ ବର୍ଷଋତୁକୁ ଦୃଷ୍ଟିରେ ରଖି ଉଦବୃତ ବର୍ଷା ଜଳର ସୁଚାରୁ ରୂପେ ନିଷ୍କାସନ ପାଇଁ ସମସ୍ତ ମହାନାଳଗୁଡିକର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ବାଲେଶ୍ୱର ପୌରପାଳିକା ପକ୍ଷରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକୁ ସହରର ବିଭିନ୍ନ ସ୍ଥାନରେ ପହଂଚି ତଦାରଖ କରିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ପ୍ରଥମେ ସହରର ଲାଲବାହାଦୂର ଶାସ୍ତ୍ରୀ ମାର୍ଗର ଶ୍ରୀନିକ୍ସ କଲେଜ ନିକଟରେ ମହାନାଳର ଅବସ୍ଥା ଦେଖିବା ସହ ସଠିକ୍ ଢଙ୍ଗରେ ସଫେଇ କାର୍ଯ୍ୟ ସାରିବାକୁ ପୌରପାଳିକା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଚିଡିଆପୋଲ ନିକଟରେ ମହାନାଳର ଜଳ ନିଷ୍କାସନ ବ୍ୟବସ୍ଥାର ସାମ୍ପ୍ରତିକ ଅବସ୍ଥା ଅନୁଧ୍ୟାନ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ କହିଥିଲେ । ମହାନାଳଗୁଡିକୁ ମେସିନ ସାହାର୍ଯ୍ୟରେ ସଫେଇ କରାଯାଉଥିବା ବେଳେ ଯେଉଁ ସ୍ଥାନରେ ମେସିନ ନ ପହଂଚିପାରୁଛି ସେଠାରେ ଅଧିକ ସଂଖ୍ୟକ ଶ୍ରମିକ ନିୟୋଜନ ସହ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ତେବେ ପୋତି ହୋଇପଡିଥିବା ମହାନାଳର ଆବଶ୍ୟକସ୍ଥଳେ ଖନନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମହାନାଳ ସଙ୍କୁଚିତ ହୋଇଥିବା ସ୍ଥାନରେ ସଫେଇ ପାଇଁ ବ୍ୟକ୍ତିଗତ ମାଲିକାନାରେ ଥିବା ଜାଗା ମାଲିକଙ୍କ ସହ ଆଲୋଚନା କରିବା ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ଉଦବୃତ ବର୍ଷାଜଳ ନିଷ୍କାସନକୁ ନେଇ ସହରବାସୀ ଦୀର୍ଘ ଦିନ ଧରି ଯେଉଁ ସମସ୍ୟା ଭୋଗୁଛନ୍ତି, ଆଗାମୀ ଦିନରେ ଯେପରି ତାହାର ପୁନରାବୃତି ନ ହୁଏ ସେଥିପ୍ରତି ପ୍ରାଥମିକତା ଦେବାକୁ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ବାଲେଶ୍ୱର ସହରର ଆଖପାଖ ଅଂଚଳ ଓ ସହର ମଧ୍ୟ ଦେଇ ଯାଉଥିବା ମୋଟ ୬ଗୋଟି ମହାନାଳର ସଂସ୍କାର ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ମହାନାଳ ପ୍ଲାଷ୍ଟିକ ଆବର୍ଜନା ଦ୍ୱାରା ଅବରୋଧ ହେବାକୁ ନେଇ ଶ୍ରୀ ଦତ୍ତ ଉଦବେଗ ପ୍ରକାଶ ସହ ଜନ ସାଧାରଣ କୌଣସି ପ୍ରକାର ଆବର୍ଜନା ନାଳରେ ନ ପକାଇବାକୁ ଅନୁରୋଧ କରିଛନ୍ତି। ଜଳ ନିଷ୍କାସନରେ ସୁଧାର ଆଣିବା ପାଇଁ ପୌରପାଳିକା ପକ୍ଷରୁ ଚାଲିଥିବା ଅଭିଯାନରେ ବିଧାୟକ ଶ୍ରୀ ଦତ୍ତ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି। ଏହି ଅବସରରେ ବାଲେଶ୍ୱର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ ଓ ପୌରପାଳିକା ଯନ୍ତ୍ରୀ ସୀମାଂଚଳ ମିଶ୍ରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୋରପାଳିକାର କାଉନସିଲର ଗୌରାଙ୍ଗ ଦାସ, ଉପେନ୍ଦ୍ର ଶତପଥୀ, ସୁଧାଂଶୁ ପଣ୍ଡା, ରାଜେନ୍ଦ୍ର ଚାଟାର୍ଜୀ, ପବନ କମିଳା, ଜିତେନ୍ଦ୍ର ପରମାଣିକ, ଦୁର୍ଗା ବେହେରା, ବାବୁଲି ଧଳ, ଶୈଳେନ୍ଦ୍ର ଦାଶ, ଜୟ ପ୍ରକାଶ ଦାଶ, ସଞ୍ଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ