ବାଲିଘାଟ ବନ୍ଦ ନ କଲେ ଗ୍ରାମବାସୀମାନେ ଗ୍ରହଣ କରିବେ ଆନ୍ଦୋଳନ ପନ୍ଥା

କଟକ, (ଓ୍ବାଇଏନଏସ) : କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ କୁଆଖାଇ ନଦୀରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଘାଟ ନିଲାମ ଅବଧି ଗତ ମାର୍ଚ୍ଚ ମାସଠାରୁ ସରିବା ପରେ ମଧ୍ୟ ନିର୍ଦ୍ଧାରିତ ଅଞ୍ଚଳରୁ ନିଲାମଧାରୀ ବ୍ୟକ୍ତି ନିୟମିତ ବାଲି ଉଠାଣ ଚାଲୁ ରଖିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଯେତିକି ପରିମିତ ଅଞ୍ଚଳକୁ ବାଲି ଉଠାଣ ପାଇଁ ନିଲାମ ଧରିଥିଲେ ତାଠାରୁ ଅଧିକ ଅଞ୍ଚଳରୁ ବାଲି ଉଠାଇବା ସହିତ ନିର୍ଦ୍ଧାରିତ ଗଭୀର ଠାରୁ ଯଥେଷ୍ଟ ଅଧିକ ଗଭୀର ବାଲି ଉଠାଇ ସାରିଲେଣି । ଯାହାକି ସରକାରଙ୍କ ପଚାଶ ହଜାରରୁ ଅଧିକ ରାଜସ୍ବ ହାନି ଘଟି ସାରିଲାଣି । ଏତଦ୍ ବ୍ୟତୀତ ଟ୍ରାକ୍ଟର ସାହାଯ୍ୟରେ ଶ୍ରମିକ ମାନଙ୍କ ଦ୍ୱାରା ବାଲି ଉଠାଇବା ଅନୁମତି ଥିବା ସତ୍ବେ ସମ୍ପୃକ୍ତ ବ୍ୟକ୍ତି ଏକାଧିକ ମେସିନ ସାହାଯ୍ୟରେ ହାଇଓ୍ବା ଦ୍ବାରା ବାଲି ଉଠାଇ ଚାଲିଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଧେ ଉକ୍ତ ବାଲିଘାଟ ବନ୍ଦ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ସତ୍ବେ ଏପର୍ଯ୍ୟନ୍ତ ତାହା ପାଳନ କରାଯାଉନଥିବା ଅଭିଯୋଗ ହୋଇଛି । ଯଦି ଏପରି ବାଲି ଖନନ ଚାଲିବ ତାହାଲେ ଆଗାମୀ ଦିନରେ ନଦୀବନ୍ଧ ଓ ନିକଟସ୍ଥ ଜନବସତି ପ୍ରତି ବିପଦ ହେବ ବୋଲି କହିଛନ୍ତି । ସରକାର, ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାର ସମାଧାନ କରି ଏହି ବାଲି ଘାଟକୁ ତୁରନ୍ତ ବନ୍ଦ ନ କଲେ ଗ୍ରାମବାସୀମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ନଗରୀ ଗ୍ରାମ୍ୟ କମିଟି ସଭାପତି ପ୍ରମୋଦ ସ୍ବାଇଁ, ସମ୍ପାଦକ ପ୍ରମୋଦ ବେହେରା, କୋଷାଧ୍ୟକ୍ଷ ବାଦଲ ସ୍ବାଇଁ, ସହ-କୋଷାଧ୍ୟକ ବାଦଲ ଜେନା ପ୍ରମୁଖ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ