ବିଶ୍ୱ ମ୍ୟାଲେରିଆ ଦିବସ
ନୂଆପଡା,(ଲିଲାମ୍ବର ନାଗ): ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା. ସଂଜୀବ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ରୋଗର ପ୍ରତିରୋଧ ଓ ନିରାକରଣ ସମ୍ପର୍କିତ ଭିନ୍ନଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଅବସରରେ ବିପିଏମ ଅକ୍ଷୟ ମିଶ୍ର, ପିଏଚଇଓ ଅନୁପ ସିଂ ମାଝୀ, ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକା ବୈଦେହୀ ଓ ଲ୍ୟାବ୍ ଟେକ୍ନିସିଆନ୍ ଯଦୁମଣି ବୈଠାରୁ ସହିତ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ । ସମସ୍ତେ ମ୍ୟାଲେରିଆର କାରଣ, ଲକ୍ଷଣ ଓ ପ୍ରତିରୋଧ ପଦକ୍ଷେପ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ହିଁ ଏହି ରୋଗକୁ ନିୟନ୍ତ୍ରଣ କରିବାର ମୂଳ ଉପାୟ ବୋଲି ଉଲ୍ଲେଖ କରିଥିଲେ । ଏବର୍ଷର ମୂଳ ବିଷୟବସ୍ତୁ ହେଲା ମ୍ୟାଲେରିଆକୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧ: ଏବେ ଆମେ କରିପାରିବା, ଏବେ ଆମକୁ କରିବାକୁ ହେବ, ଏହାକୁ ସାର୍ଥକ କରିବା ପାଇଁ ସମସ୍ତଙ୍କୁ ଏକତ୍ର ହୋଇ କାମ କରିବାର ଆହ୍ୱାନ ଜଣାଯାଇଥିଲା । ଏହା ସହ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା ବଢ଼ାଇବା ଓ ପ୍ରତ୍ୟେକ ଘରକୁ ଏହି ବାର୍ତ୍ତା ପହଞ୍ଚାଇବା ଉପରେ ଜୋର ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ଦିପେଶ ପତି, ମହେନ୍ଦ୍ର ସାହୁ, ସୁଶୀଲ ମାଝୀ, ଅରବିନ୍ଦ ପରିଡା, ବବିତା ବେହେରା, ବିଦେଶିନୀ ବିଶ୍ୱାଳ, ମାଧୁରୀ ମାଝୀ ଆଦି ଉପସ୍ଥିତ ଥିଲେ। ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ କାର୍ଯ୍ୟକ୍ରମଟିକୁ ସଫଳତାର ସହ ପରିଚାଳନା କରିଥିବା ବେଳେ ଦିପେଶ ପତି ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାଯାଇଛି ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଏହି ଦିବସକୁ ସମାନ ଉତ୍ସାହରେ ପାଳନ କରାଯିବ । ସଚେତନତା ହେଉଛି ସୁରକ୍ଷା, ସଂକଳ୍ପ ହେଉଛି ସମାଧାନ।


